ପୋଖରୀରେ ୩ ନବଜାତକଙ୍କ ମୃତଦେହ : ପୁଲିସ୍‌ ର ତନାଘନା

0
122
ପୋଖରୀରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୬/୦୯) : ଏକକାଳୀନ ପୋଖରୀରେ ଭାସୁଥିଲା ୩ ଟି ନବଜାତକଙ୍କ ମୃତଦେହ । ଏହାଦେଖି ଭୟଭୀତ ହୋଇ ପଡ଼ିଲେ ଗ୍ରାମବାସୀ । ତେବେ ଏତେ ସଂଖ୍ୟକ ନବଜାତକ ଙ୍କ ମୃତଦେହ ଏକକାଳୀନ କିପରି ଓ କେଉଁଠୁ ଆସିଲା ତାହାକୁ ନେଇ ତନାଘନା ଚଳାଇଛି ପୁଲିସ୍‌ ।

ଏପରି ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁ ନିକଟ ନଟା ପୋଖରୀ କୂଳରେ ଦେଖିବାକୁ ମିଳିଛି । ଆଜି ସକାଳେ କିଛି ଗ୍ରାମବାସୀ ପୋଖରୀ କୂଳକୁ ଯାଇଥିବା ବେଳେ ପୋଖରୀରେ ୩ ନବଜାତକ ଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ଗ୍ରାମବାସୀ ତୁରନ୍ତ ପୁଲିସ୍‌କୁ ଯୋଗାଯୋଗ କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩ ଟି ମୃତଦେହ ସମେତ ପାଖରେ ପଡ଼ିଥିବା ଶାଢୀ, ପଣତ କାନି ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ।

ଶିଶୁ ୩ ଟି କାହାର, ସେମାନଙ୍କର କିପରି ମୃତ୍ୟୁ ହେଲା, ମୃତ୍ୟୁ ପରେ କାହିଁକି ଏପରି ପରିତ୍ୟକ୍ତ ଭାବେ ଏହାକୁ ଫୋପଡ଼ା ଯାଇଛି ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରି ଘଟଣା ଆଗରୁ ଆମ ଗାଁରେ କେବେ ହୋଇ ନ ଥିବା ବେଳେ ଏବେ କେଉଁଠି ଏପରି ମୃତଦେହ ଆସିଲା ବୋଲି ପ୍ରଶ୍ନ ପଚାରିଛନ୍ତି ଗ୍ରାମବାସୀ । ତେବେ ଏନେଇ ପୁଲିସ୍‌ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।