ସ୍କୁଲ ଯାଉଥିଲେ ୩୦ ପିଲା : ଗଛରେ ପିଟି ହେଲା ବସ୍‌

0
109
ସ୍କୁଲ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୨/୦୯) : ଆଜି ସକାଳୁ କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି ।

ଏହି ସମାନ ବସ୍‌ରେ ପୂର୍ବରୁ ୨ ଥର ମଧ୍ୟ ସମାନ ଘଟଣା ଘଟି ସାରିଥିବା ବେଳେ ତାହାକୁ ଚେଞ୍ଜ କରାଯାଉ ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍‌ଟି କଟକ ସିଡିଏ ସ୍ଥିତ ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଫେଜ-୨ ଥାନା ପାଖରେ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ୍‌ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ସୌଭାଗ୍ୟବଶତଃ ବସ୍‌ରେ ଥିବା ସବୁ ସ୍କୁଲ ପିଲା ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ସେହି ସ୍କୁଲର ବସ୍‌ଟି ଆଗରୁ ମଧ୍ୟ ଦୁର୍ଘଟଣା ଘଟାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଥରେ ବ୍ରେକ୍‌ ଫେଲ ହୋଇଥିବା ବେଳେ ବସ୍‌ଟି ରାସ୍ତା ତଳକୁ ଖସି ଯାଇଥିଲା । ଏହାପରେ ଥରେ ରାସ୍ତା ମଝିରେ ବସ୍‌ଟି ଖରାପ ହୋଇ ଯାଇଥିଲା । ଫଳରେ ଅଭିଭାବକ ପହଞ୍ଚି ନିଜ ନିଜ ପିଲାଙ୍କୁ ନେଇଥିଲେ ।

କିଛି ଦିନ ପୂର୍ବେ ପରିବହନ ବିଭାଗ ଲୋକ ଦେଖାଣିଆ ଭାବେ ସ୍କୁଲ ବସ୍‌ ଉପରେ ଚଢ଼ାଉ କରି ଫାଇନ୍‌ ଆଦାୟ କରିଥିଲା । ମାତ୍ର ଏବେ ବିଭାଗ ର ଖାମଖିଆଲି ମନୋଭାବ ପାଇଁ ଛୋଟ ଛୋଟ ଜୀବନ ବିପଦକୁ ଠେଲି ହୋଇ ଯାଉଛି ।