ଆର. ଭେଙ୍କଟରମଣି ଦେଶ ର ନୂଆ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ

0
123
ଆର. ଭେଙ୍କଟରମଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୯/୦୯) : ବରିଷ୍ଠ ଆଇନଜୀବୀ ଆର. ଭେଙ୍କଟରମଣି ଦେଶ ର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ ପାଇଛନ୍ତି । ସେ ଅକ୍ଟୋବର ୧ ରୁ ଏ.ଜି. ଭାବେ ଦାୟିତ୍ୱ ଗ୍ରହଣ କରିବେ ଓ ୩ ବର୍ଷ ପାଇଁ ଏହି ପଦରେ ରହିବେ ।

ଭେଙ୍କଟରମଣିଙ୍କ ଏ.ଜି. ଭାବେ ନିଯୁକ୍ତି ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି । ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଦେଶ ର ଏ.ଜି. ଭାବେ କାମ କରୁଥିବା କେ.କେ. ଭେନୁଗୋପାଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ । ସେ ୨୦୧୭ ରୁ ଏହି ପଦରେ ରହିଛନ୍ତି । ସେ ଅବସର ନେବା ପରେ ଆର. ଭେଙ୍କଟରମଣି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହାପୂର୍ବରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ କେନ୍ଦ୍ର ସରକାର ପୁଣି ଏଜି ହେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ।

୨୦୧୪ ରୁ ୨୦୧୭ ଯାଏଁ ରୋହତଗୀ ଦେଶ ର ଏ.ଜି. ଭାବେ କାମ କରିଥିଲେ । ହେଲେ ଏବେ ସେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଭେଙ୍କଟରମଣିଙ୍କୁ ଦେଶ ର ଏ.ଜି. କରାଯାଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।

୧୯୫୦ ମସିହା ଏପ୍ରିଲ ୧୩ ରେ ପୁଡ଼ୁଚେରୀରେ ଜନ୍ମ ଗ୍ରହଣ କରିଥିବା ଭେଙ୍କଟରମଣି ୧୯୭୭ ମସିହାରେ ଓକିଲ ଭାବେ ନିଜର ପଞ୍ଜୀକରଣ କରାଇଥିଲେ । ତାମିଲନାଡୁ ବାର୍ କାଉନସିଲର ସଦସ୍ୟ ଭାବେ ସେ ତାଙ୍କ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୯ ରେ ସେ ସୁପ୍ରିମକୋର୍ଟରେ ମାମଲା ଲଢ଼ିଥିଲେ । ୧୯୯୭ ରେ ତାଙ୍କୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ର ମାନ୍ୟତା ଦେଇଥିଲେ ।

ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ସେ ଶତାଧିକ ମାମଲା ଲଢ଼ିଛନ୍ତି । କେନ୍ଦ୍ର, ବିଭିନ୍ନ ରାଜ୍ୟ, ବିଶ୍ୱବିଦ୍ୟାଳୟ ଓ ସରକାରୀ ସଂସ୍ଥା ପାଇଁ ସେ ମାମଲା ପରିଚାଳନ କରିଛନ୍ତି । ୨୦୧୦ ଓ ୨୦୧୩ ରେ ସେ ଆଇନ କମିଶନର ସଦସ୍ୟ ଭାବେ କାମ କରିବାର ଅଭିଜ୍ଞତା ଭେଙ୍କଟରମଣିଙ୍କ ପାଖରେ ରହିଛି ।