Friday, March 29, 2024

Top 5 This Week

Related Posts

ସାମୁଦ୍ରିକ ଝଡ଼ ଇଆନ ର ତାଣ୍ଡବ : ଭାସିଗଲା ଘର, ଉଡ଼ିଲେ ରିପୋର୍ଟର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଫ୍ଲୋରିଡା, (୨୯/୦୯) : ଆମେରିକାରେ ଭୟଙ୍କର ତାଣ୍ଡବ ରଚିଲା ଅତ୍ୟନ୍ତ ବିପଦଜ୍ଜନକ ସାମୁଦ୍ରିକ ଝଡ଼ ଇଆନ । ଫ୍ଲୋରିଡା ର ଦକ୍ଷିଣ-ପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ କରିଥିବା ଇଆନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି ।

ଲ୍ୟାଣ୍ଡଫଲ ବେଳେ ସାମୁଦ୍ରିକ ଝଡ଼ ଇଆନ ର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା । ଶତାଧିକ ଘର ପାଣିରେ ଭାସି ଯାଇଥିବା ବେଳେ ଗଛ ଠାରୁ ଆରମ୍ଭ କରି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି । ସେହିପରି ଜଣେ ରିପୋର୍ଟର ବାତ୍ୟା ର ଦୃଶ୍ୟ ଦେଖାଉଥିବା ବେଳେ ତାଙ୍କୁ ପବନ କିଛି ବାଟ ଉଡ଼ାଇ ନେଉଥିବାର ଭିଡିଓ ସାମ୍ନାକୁ ଆସିଛି ।

ପବନର ବେଗ ଏତେ ଥିଲା ଯେ ରିପୋର୍ଟର ଜଣଙ୍କ ଗୋଟିଏ ଖୁଣ୍ଟକୁ ଧରି ବେଶ କିଛି ସମୟ ଛିଡ଼ା ହୋଇଥିଲେ । ଏହାପରେ ସେ ସୁରକ୍ଷିତ ସ୍ଥାନକୁ ଯିବାକୁ ସକ୍ଷମ ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ମଧ୍ୟ ବୁଡ଼ି ଯାଇଛି । କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ମାଡ଼ି ଆସିବାରୁ ଏହା ମଧ୍ୟରେ ଥିବା ସାର୍କ ମଧ୍ୟ ମୁଖ୍ୟ ରାସ୍ତାକୁ ଚାଲି ଆସିଥିବା ଜଣେ ବ୍ୟକ୍ତି ଭିଡିଓ ଜାରି କରି ଦାବି କରିଛନ୍ତି ।

ଏନଏଚସି କହିଛି, “ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଇଆନ ସ୍ଥାନୀୟ ସମୟ ଦିନ ୩ଟା ପରେ ଲ୍ୟାଣ୍ଡଫଲ କରିଛି । ଫ୍ଲୋରିଡା ର ଫୋଟଆ ମେୟର୍ସ ସହର ଅନ୍ତର୍ଗତ କାୟୋ କୋଷ୍ଟୋରେ ଏହାସ୍ଥଳ ଭାଗ ଛୁଇଁ ବ୍ୟାପକ କ୍ଷୟକ୍ଷତି କରିଛି । ଲ୍ୟାଣ୍ଡଫଲ ବେଳରେ ପବନ ର ବେଗ ଘଣ୍ଟା ପ୍ରତି ୨୪୧ କିମି ରହିଥିଲା । ତେବେ ଲ୍ୟାଣ୍ଡଫଲ କରିବା କ୍ଷଣି ଏହା ସାମାନ୍ୟ ଦୁର୍ବଳ ହୋଇ କ୍ୟାଟାଗୋରୀ ୩କୁ ଆସିଥିଲା । ପୂର୍ବରୁ ଏହା ଅତ୍ୟନ୍ତ ଭୟଙ୍କର ବାତ୍ୟା ବା କ୍ୟାଟାଗୋରୀ ୪ରେ ରହିଥିଲା । ବାତ୍ୟା ଇଆନ ର ପ୍ରଭାବ ରାତି ତମାମ ରହିବ ।”

ନାପଲେସରୁ ଆସିଥିବା ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ଏଠାରେ ସୁମଦ୍ର କୂଳରେ ଥିବା ଘରଗୁଡ଼ିକ ଭିତରେ ଢେଉ ପଶିବା ସହ ରାସ୍ତାରେ ପାଣି ସୁଅ କାଟୁଛି । ସେହିପରି କିଛି ଘର ଓ ରାସ୍ତାରେ ଥିବା ଗାଡ଼ିଗୁଡ଼ିକ କେମିତି ପାଣିର ସୁଅରେ ଭାସି ଯାଉଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି । ଚାରିଆଡ଼େ କେବଳ ପାଣି ଓ ପାଣି ଥିବା ବେଳେ ବାତ୍ୟା ର ବିଧ୍ୱଂସ ରୂପ ଦେଖାଯାଉଛି ।

ବାତ୍ୟା ଇଆନ ପାଇଁ ଫ୍ଲୋରିଡା ର ପ୍ରାୟ ୧୮ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି । ଲ୍ୟାଣ୍ଡଫଲ କରିଥିବା ଅଞ୍ଚଳ ଓ ଏହାର ଆଖପାଖ ସହରର ଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ବର୍ଷା ସହ ପବନ ଯୋଗୁଁ ଲୋକମାନେ ଭୟରେ କେବଳ ଘର ମଧ୍ୟରେ ରହିଛନ୍ତି । ତେବେ ଏ ଯାଏଁ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନି ।

ଫ୍ଲୋରିଡାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ବାତ୍ୟା ଇଆନ କ୍ୟୁବାରେ ମଧ୍ୟ ତାଣ୍ଡବ ରଚିଥିଲା । ୨୭ ତାରିଖରେ କ୍ୟୁବା ର ଇଆନ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ବାତ୍ୟା ଯୋଗୁଁ ଫ୍ଲୋରିଡା ଉପକୂଳରେ କ୍ୟୁବାରୁ ଲୋକଙ୍କୁ ନେଇ ଆସୁଥିବା ଗୋଟିଏ ଡଙ୍ଗା ବୁଡ଼ି ଯାଇଥିଲା । ଫଳରେ ୨୦ ଜଣ କ୍ୟୁବା ଶରଣାର୍ଥୀ ନିଖୋଜ ହୋଇଯାଇଥିବା ଆମେରିକା କହିଥିଲା । କ୍ୟୁବାରେ ବାତ୍ୟା ଯୋଗୁଁ ୧୧ ମିଲିୟନ ଲୋକ ଅନ୍ଧାରରେ ରହିଛନ୍ତି । ଏଠାରେ ଇଆନ ପବନରେ ବିଦ୍ୟୁତ ଗ୍ରୀଡ଼ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।

Popular Articles