ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୯/୦୯) : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) କୁ ଭାରତ ସରକାର ୫ ବର୍ଷ ପାଇଁ ବ୍ୟାନ କରିବା ପରେ ଏବେ ଟ୍ୱିଟର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସଙ୍ଗଠନ ର ଅଫିସଆଲ ଟ୍ୱିଟର ଆକାଉଣ୍ଟକୁ ଆଜି ସୋସିଆଲ ମିଡିଆ ଫ୍ଲାଟଫର୍ମରୁ ବ୍ୟାନ ବା ହଟାଇ ଦିଆଯାଇଛି । ପିଏଫଆଇ ର ଅଫିସିଆଲ ଆକାଉଣ୍ଟ @PFIofficial କୁ ୮୧ ହଜାର ଲୋକ ଅନୁସରଣ କରିଥିଲେ । ଏହି ସଙ୍ଗଠନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଭାରତ ସରକାର ଗତକାଲି ଏହାକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର ଭାରତରେ ଏହାର ଆକାଉଣ୍ଟ ଉପରେ ରୋକ ଲଗାଇ ଦେଇଛି । ଏହାର ଅର୍ଥ ଏହି ଆକାଉଣ୍ଟ ଅକାମୀ ହୋଇଯାଇଛି ।
ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପିଏଫଆଇ ର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା । ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ । ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଙ୍ଗଠନ ଭାବେ ନାମିତ କରିଥିଲା । ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଥିଲା । ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି । ସଙ୍ଗଠନ ର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶ ର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ରେହାବ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ), ଅଲଇଣ୍ଡିଆ ଇମାମ୍ସ କାଉସିଲ(ଏଆଇଆଇସି), ନ୍ୟାଶନାଲ କନଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚ୍ଆରଓ), ନ୍ୟାଶନାଲ ୱମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏନପାୱାର ଇଣ୍ଡିଆ ଫାଉଡେସନ ଓ କେରଳ ରେହାବ ଫାଉଣ୍ଡସେନକୁ ବେଆଇନ ସଙ୍ଗଠନ ଭାବେ ଅବିହିତ କରାଯାଉଛି । ଏହାର ଅର୍ଥ ଏବେ ଏହି ସଂସ୍ଥା ଗୁଡ଼ିକ ଦେଶରେ କୌଣସି ପ୍ରକାର ର କାର୍ଯ୍ୟକଳାପ କରିପାରିବେ ନାହିଁ ।
ପିଏଫଆଇ ର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ ସହ ରହିଛି । ଏପରି କି ପିଏଫଆଇ ର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ରେ ମଧ୍ୟ ସାମିଲ ହୋଇଛନ୍ତି । ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି । ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି ।
ସୂଚନାଯୋଗ୍ୟ, ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ସେପ୍ଟେମ୍ବର ୨୨ରେ ଦେଶ ର ୧୫ଟି ରାଜ୍ୟ ର ୯୩ଟି ସ୍ଥାନରେ ରେଡ୍ କରିଥିଲା । ଏହି ସମୟରେ ପିଏଫଆଇ ସହ ଜଡ଼ିତ ପ୍ରାୟ ୧୦୬ ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ମଙ୍ଗଳବାର ୮ଟି ରାଜ୍ୟରେ ପୁଣି ଅପରେସନ କରାଯାଇଥିଲା । ଏତିକି ବେଳେ ପିଏଫଆଇ ର ୧୭୦ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।