ଓଡିଶା ବନ ଉନ୍ନୟନ ନିଗମ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କଲା

0
199

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୩/୦୮) : ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ପରିମାଣରେ ଚେକ୍‌ ପ୍ରଦାନ କରିଥିଲେ ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା ସ୍ବାଗତ ଭାଷଣ ଦେଇ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ପରାଗ ଗୁପ୍ତା, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ବନ ଉନ୍ନୟନ ନିଗମ ଟିକସ ପରେ ସମୁଦାୟ ୧୦.୫୪ କୋଟି ଟଙ୍କା ଲାଭ ପାଇଥିବା ବେଳେ, ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୧.୫୮ କୋଟି ଟଙ୍କା ପ୍ରଦାନ କରିଛି ।

୧୯୬୨ ମସିହାରେ ସୃଷ୍ଟି ହୋଇଥିବା ଓଡିଶା ବନ ଉନ୍ନୟନ ନିଗମ ହେଉଛି ଦେଶର ସର୍ବ ପୁରାତନ ବନ ନିଗମ । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ଏହା ଲାଭ କରିଆସୁଛି । ସାରା ରାଜ୍ୟରେ ଏହାର ୨୦ଟି ଡିଭିଜନରେ ୫୨ଟି କେନ୍ଦ୍ରୀୟ କାଠ ଡିପୋ ଓ ୬୭ଟି ଜାଳେଣି କାଠ ଡିପୋ ରହିଛି । ଚଳିତ ବର୍ଷ ନିଗମ ୪.୮୧ ଲକ୍ଷ ଚାରା ରୋପଣ କରିଛି ।