ଓବିସି ଓ ଏସଇବିସି ଙ୍କ ସହ ବାରମ୍ବାର ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର : ବିଜେପି

0
260

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୩/୦୮) : ଲୋକସଭା ଓ ରାଜ୍ୟସଭାରେ ଐତିହାସିକ ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହୋଇଛିା  ଦେଶର ଓବିସି ଓ ଏସଇବିସି ଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଲାଗୁ କରିବା ପାଇଁ ଏହି ବିଲ୍ ପାସ୍ ହୋଇଛି ଏବଂ ସୌଭାଗ୍ୟର କଥା ଯେ ଲୋକସଭାରେ ଉପସ୍ଥିତ ସମସ୍ତ ସାଂସଦ ଏହି ବିଲ୍କୁ ପାରିତ କରିବା ପାଇଁ ସମର୍ଥନ ଜଣାଇଛନ୍ତି । ବର୍ତମାନ ରାଜ୍ୟ ସରକାର ତୁରନ୍ତ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ ଦାବି କରିଛନ୍ତି ।

ଓଡିଶାରେ ୨୨ବର୍ଷ ଧରି ଏକ ସ୍ଥାୟୀ ସରକାର ରହିଛି କିନ୍ତୁ ରାଜ୍ୟରେ ଓବିସି ଓ ଏସଇବିସି ଏବେ ବି ଅବହେଳିତ । ଏଥିପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୧୯୮୦ ମସିହାରେ ବି.ପି. ମଣ୍ଡଳଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରାଯାଇଥିଲା ଏବଂ ସେ କମିଶନ ମଧ୍ୟ ଯେଉଁ ରିପୋର୍ଟ (ମଣ୍ଡଳ କମିଶନ) ପ୍ରଦାନ କରିଥିଲେ ସେହି ରିପୋର୍ଟରେ ୨୭ ପ୍ରତିଶତ ସଂରକ୍ଷଣ ଦେବା କଥା ଉଲ୍ଲେଖ ଥିଲା । ପଛୁଆ ବର୍ଗଙ୍କ ଅଧିକାର ୧୦ବର୍ଷ ହେଲା ଫାଇଲ ତଳେ ଚାପି ହୋଇଗଲା ।

୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସାମ୍ବିଧାନିକ ଅଧିକାର ପାଇଁ ଆଜି ମଧ୍ୟ ସରକାରଙ୍କ ସହ ପଛୁଆ ବର୍ଗର ଲୋକେ ଲଢେଇ କରୁଛନ୍ତି । ପିତାଙ୍କ ନୀତି ଅନୁସରଣ କରି ବର୍ତମାନର ନବୀନ ପଟ୍ଟନାୟକ ନେତୃତ୍ୱାଧିନ ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତି ବିରୁଦ୍ଧରେ ଯାଉଛନ୍ତି । ଛଳନା ଓ ପ୍ରତାରଣା କରି ୨୦୧୪ ମସିହାରେ ରାଜ୍ୟ ସରକାର ହାଇକୋର୍ଟକୁ ଗଲେ । ଅପରପକ୍ଷରେ ଚକ୍ରାନ୍ତ କରି କିଛି କୁଚକ୍ରିଙ୍କୁ ତାହା ବିରୁଦ୍ଧରେ ସଂରକ୍ଷଣ ଅଧିକ ହୋଇଯିବା ଆଳରେ ସୁପ୍ରିମକୋର୍ଟର ନିଷ୍ପତିକୁ ଦ୍ୱାହି ଦେଇ ପିଟିସନ ଦାଖଲ କରିଥିଲେ । କିନ୍ତୁ ବର୍ତମାନ ସେ ପିଟିସନରମାନେ ଗଲେ କୁଆଡେ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।

ସରକାରଙ୍କର କେଉଁଠି ନା କେଉଁଠି ମାନସିକତା ରହୁଛି ଯେ, ଯେଉଁମାନେ ସାମାଜିକ ଆର୍ଥିକ ଦୃଷ୍ଟିରେ ପଛୁଆ ରହୁଛନ୍ତି ସେମାନେ ସବୁବେଳେ ପଛୁଆ ହୋଇ ରୁହନ୍ତୁ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରକୃତ ମାନସିକତା । ତେଣୁ ୩ ଦଶନ୍ଧି ଧରି ଏହି ସାମ୍ବିଧାନିକ ଅଧିକାର ପାଇଁ ପଛୁଆ ବର୍ଗ ଲୋକମାନେ ଲଢେଇ ଜାରୀ ରଖିଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଦର୍ଶାଉଛି ।ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଦୀର୍ଘ ୩ଦଶନ୍ଧି ଧରି ଓବିସିମାନଙ୍କ ସହ ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ହକ୍ ପାଇଁ ପ୍ରଶ୍ନ କଲେ ବିଜେଡିକୁ ବାଧୁଛି କାହିଁକିବୋଲି ଶ୍ରୀମତୀ ସାହୁ ପ୍ରଶ୍ୱ କରିଛନ୍ତି ।
ରାଜ୍ୟସଭାରେ ୧୨୭ତମ ସଂଶୋଧନ ବିଧେୟକ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ତାଲିକା ଆଧାରରେ ପଛୁଆ ବର୍ଗଙ୍କୁ ଓଡିଶା ସରକାର ସଂରକ୍ଷଣ ଦିଅନ୍ତୁ ବୋଲି ସ୍ପଷ୍ଟ ଆହ୍ୱାନ ମଧ୍ୟ କରିଛନ୍ତି । ଓଡିଶାରେ ୫୨ ପ୍ରତିଶତରୁ ଅଧିକ ଓବିସି ବର୍ଗ ଲୋକ ବାସ କରିଛନ୍ତି । ସେମାନଙ୍କଠାରୁ ତାଙ୍କ ନ୍ୟାର୍ଯ୍ୟ ହକ୍ ଛଡାଇ ନେଇ ରାଜ୍ୟ ସରକାର ମହାପାପ କରୁଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି । ଏହି ଅବସରରେରାଜ୍ୟ ମିଡିଆ ପ୍ରମୁଖ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।