ଲଗାଣ ବର୍ଷାରେ ଘରର ଛପର କାନ୍ଥ ଭୁଶୁଡ଼ିଲା : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

0
270

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
ରାୟଗଡା,କଲ୍ୟାଣସିଂହପୁର,ତା(୧୩/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଠାରେ ଗତକାଲି ଅପରାହ୍ନରେ ଲଗାଣ ବର୍ଷାରେ ହରିଜନ ସାହିର ବିଧବା କୌଶଲ୍ୟା ସୁନିତାଙ୍କ ଝାଟିମାଟି ଚାଳ ଛପର ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ବିଧବା ସୁନିତା କହିବା ଅନୁଯାୟୀ କାଲି ଲଗାଣ ବର୍ଷାରେ ମାଟି କାନ୍ଥ ଭିଜି ଯାଇଥିଲା । ରାତ୍ର ଖାଇ ସାରି ବିଧବା ସୁନିତା ସହ ଦୁଇ ଝିଅ ମିଶି ସୋଇଥିବା ବେଳେ ଘର ପଡିଯାଇଥିଲା । ଏହାକୁ ସାହି ପଡିଶା ଦେଖି ପରିବାରର ୪ ଜଣଙ୍କୁ ଉଦ୍ଧାର କରି ପଡ଼ିଶା ଘରେ ରାତ୍ର ଯାପନ ପାଇଁ ସ୍ଥାନ ଦେଇଥିଲେ । କିନ୍ତୁ ବର୍ଷାରେ ଘରେ ରଖିଥିବା ଖାଦିପଟା, ଖାଦ୍ୟ ସାମଗ୍ରୀର ଓଦା ହୋଇ ଯାଇଛି ।

ସକାଳୁ ରାଜସ୍ୱ ଅଧିକାରୀ ଵୈଦୁର୍ଯ୍ୟମଣୀ ଭୂୟାଁ ଘଟଣା ସ୍ଥଳରେ ପହଞ୍ଚି ବିଧବା ପରିବାରକୁ ପଲିଥିନ ଯୋଗାଇଥିଲେ । ଏହି ବିଧବା ଅସହାୟ ମହିଳା ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଜନ ପ୍ରତିନିଧି ଓ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ ତାହାରଗୁହାରି କେହି ହେଲେ ଶୁଣି ନଥିଲେ । ଯଦି ସେ ଆବାସ ଯୋଜନାରେ ସାମିଲ ହୋଇଥିଲେ ଆଜି ଏପରି ଦଶା ଭୋଗିବାକୁ ପଡିନଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରି ତୁରନ୍ତ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।