Friday, March 29, 2024

Top 5 This Week

Related Posts

ରୁଷ ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲା : ୧୧ ମୃତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମସ୍କୋ, (୧୬/୧୦) : ଶୁକ୍ରବାର ୟୁକ୍ରେନ୍ ଉପରେ ଆଉ ଆକ୍ରମଣ କରିବନି ବୋଲି ଘୋଷଣା କରିଥିବା ରୁଷକୁ ଲାଗିଛି ଜୋରଦାର ଝଟ୍‌କା । ଯୁଦ୍ଧ ଭିତରେ ରୁଷ ସେନା କ୍ୟାମ୍ପ ଉପରେ ହୋଇଛି ଆତଙ୍କୀ ହମ୍‌ଲା

ବନ୍ଧୁକଧାରୀମାନେ ରୁଷ ସେନା କ୍ୟାମ୍ପ ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ୧୧ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ବେଲଗୋରଡ ଅଞ୍ଚଳରେ ଲାଇଭ୍ ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଆକ୍ରମଣ ହୋଇଛି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

ସୂଚନା ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ଏମାନେ ରୁଷ ସେନାରେ ଭଲିଣ୍ଟିଅର ଭାବେ କାମ କରୁଥିଲେ । ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ । ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହାର ପ୍ରତି ଜବାବରେ ରୁଷ ସେନା ମଧ୍ୟ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ଗୁଳିମାଡ କରିଥିଲେ ।

ମନ୍ତ୍ରାଳୟ ର ସୂଚନା ଅନୁସାରେ, ଦୁଇ ଜଣ ଶୁଟର ପୂର୍ବତନ ଶୋଭିଏତ ରିପବ୍ଲିକ ର ନାଗରିକ ବୋଲି ଜଣାପଡ଼ିଛି । ତେବେ ଆକ୍ରମଣ ପରେ ଦୁଇ ଶୁଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ ସହ ଯୁଦ୍ଧ ଲଢ଼ିବାକୁ ସାଧରଣ ନାଗରିକଙ୍କୁ ମଧ୍ୟ ସେନାରେ ସାମିଲ ହେବାକୁ ରୁଷ ଘୋଷଣା କରିଥିଲା । ନିକଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୩ ଲକ୍ଷ ସେନାଙ୍କୁ ଯୁଦ୍ଧକୁ ପଠାଇବା ପାଇଁ ମଧ୍ୟ ଘୋଷଣା କରିଥିଲେ । ତେବେ ପୁଟିନଙ୍କ ଏହି ନିଷ୍ପତ୍ତିକୁ ରୁଷରେ ଜୋରଦାର ବିରୋଧ କରାଯାଇଥିଲା । ଅନେକ ଲୋକେ ଦେଶ ଛାଡି ଚାଲିଯାଇଥିବା ବେଳେ ଆଉ କିଛି ନିଜକୁ ଆଘାତ ପହଞ୍ଚାଇ ନିଜ ହାତ ଭାଙ୍ଗି ଦେଇଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା ।

Popular Articles