ସୁନକ ଙ୍କୁ ୧୦୦ ସାଂସଦଙ୍କ ସମର୍ଥନ

0
221
ସୁନକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲଣ୍ଡନ, (୨୩/୧୦) : ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ।

ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ହିଁ ସଫଳତା ହାସଲ ହୋଇଛି । ତାଙ୍କୁ ମିିଳିଛି ମ୍ୟାଜିକ୍ ନମ୍ବର । ରୁଷି ସୁନକଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦୦ ସାଂସଦଙ୍କ ସମର୍ଥନ ହାସଲ ହୋଇଛି । ବ୍ରିଟିଶ ସଂସଦରେ କଞ୍ଜରଭେଟିଭ୍ ପାର୍ଟିର ମୋଟ ୩୫୭ ସାଂସଦ ଅଛନ୍ତି । ସୁନକ ଦେଶ ର ପ୍ରଧାନମନ୍ତ୍ରୀ ଏବଂ କଞ୍ଜରଭେଟିଭ୍ ପାର୍ଟି ର ନେତା ଭାବେ ଟ୍ରସଙ୍କ ସ୍ଥାନ ନେବାକୁ ଦୌଡ଼ରେ ରହିଛନ୍ତି । ଅନ୍ୟପକ୍ଷେ କ୍ୟାରବିଆଇ ଦେଶରେ ଛୁଟି ମନାଉଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏହି ଦୌଡରେ ସାମିଲ୍ ହେବା ପାଇଁ ସ୍ଵଦେଶ ଫେରିଛନ୍ତି ।

୪୨ ବର୍ଷୀୟ ସୁନକଙ୍କ ସମର୍ଥକ ସାଂସଦଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ସୁନକ ଏବଂ ଜନସନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କେହି ବି ପାର୍ଟି ର ନେତା ହେବା ପାଇଁ ନିର୍ବାଚନ ଲଢିବା ନେଇ ଆନୁଷ୍ଠନିକ ଘୋଷଣା କରି ନାହାଁନ୍ତି । ଏ ପର୍ଯ୍ୟନ୍ତ ଲିଡର ଅଫ କମନ୍ସ ର ପେନ୍ନି ମୋର୍ଡାଣ୍ଟ ଏକ ମାତ୍ର ବ୍ୟକ୍ତି ଯିଏ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ପୂର୍ବତନ ଅର୍ଥ ମନ୍ତ୍ରୀ ସୁନକଙ୍କୁ ଟୋରି ପାର୍ଟି ର କିଛି ମନ୍ତ୍ରୀ ଏବଂ ଟୋରି ପାର୍ଟି ର ଭିନ୍ନ ଭିନ୍ନ ଗୋଷ୍ଠୀ ର କିଛି ସାଂସଦଙ୍କ ସମର୍ଥନ ମିଳିଛି ।

ବ୍ରିଟେନ୍‌ ର ପ୍ରମୁଖ ସମାଚାର ଆଉଟଲେଟ୍ ମୁତାବକ ରୁଷିଙ୍କ ପାଖରେ ୧୦୦ ସମର୍ଥକ ଅଛନ୍ତି । ଏଥିପାଇଁ ଜନ୍‌ସନ୍ ଓ ତାଙ୍କ ମଧ୍ୟରେ ଭୋଟିଂ ହୋଇପାରେ ବୋଲି ବୋରିସ ଜନ୍‌ସନଙ୍କ ଜଣେ ନିକଟ ଲୋକ କହିଛନ୍ତି । ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ କହିଛନ୍ତି, ମୋତେ ଲାଗୁଛି ଦେଶରେ ସ୍ଥିରତା ଆଣିବା ଏବଂ ଲକ୍ଷାଧିକ କର୍ମକର୍ତ୍ତାଙ୍କୁ ଭରସା ଦେବା ତଥା ଦେଶରେ କାରବାରକୁ ପ୍ରୋତ୍ସାହିତ ଦେବା ପାଇଁ ସୁନକ ଜଣେ ଯୋଗ୍ୟ ପ୍ରାର୍ଥୀ । ତେଣୁ ତାଙ୍କୁ ସୁଯୋଗ ଦେବା ଉଚିତ୍ ।

ବ୍ରିଟେନ୍‌ରେ ଲିଜ୍ ଟ୍ରସ୍ ୪୫ ଦିନ ଶାସନ କରିବା ପରେ ଇସ୍ତଫା ଦେଇଛନ୍ତି । ତାଙ୍କ ପରେ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ଜୋର୍‌ସୋର୍‌ରେ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ୨୪ ଅକ୍ଟୋବର (ସୋମବାର) ରେ ବନ୍ଦ ହେବ । ବ୍ରିଟେନ ସଂସଦ ୱେବସାଇଟରେ ବିସ୍ତୃତ ନିୟମ ଅନୁଯାୟୀ ଅନ୍ତିମ ବାଲାଟରେ ରହିବା ପାଇଁ ଆବଶ୍ୟକ ୧୦୦ ନାମାଙ୍କନ ଇ-ମେଲ କିମ୍ବା ଭୌତିକ ରୂପେ ଦାଖଲ କରାଯାଇପାରିବ । ସାଂସଦଙ୍କ ଭୋଟ୍ ପରେ ଦଳର ଦୁଇ ଜଣଙ୍କୁ ଅନ୍‌ଲାଇନ୍ ଭୋଟ୍ ମାଧ୍ୟମରେ ଶ୍ରେଷ୍ଠ ଦୁଇ ପ୍ରତିଯୋଗୀ ଚୟନ କରାଯିବ । ଏହି ପ୍ରକ୍ରିୟା ଅକ୍ଟୋବର ୨୮ ସୁଦ୍ଧା ଶେଷ ହେବ ।