ଆୟାପା ସେବା ଭକ୍ତ ବୃନ୍ଦ ଙ୍କ ଦ୍ଵାରା କାନିସ୍ୱାମୀଙ୍କ ପଡ଼ି ପୂଜା ଅନୁଷ୍ଠିତ

0
171
ଆୟାପା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୦୭/୧୧) : ଆଜି ଗୁଣପୁର ପୈାରାଞ୍ଚଳର ପୁରୁଣା ବସଷ୍ଟାଣ୍ଡ ଠାରେ ଆୟାପା ଦିକ୍ଷାଧାରିଙ୍କ କନିସ୍ଵାମୀ ମହା ପଡ଼ି ପୂଜା ଅନୁଷ୍ଠିତ ହୋଇଯାଇଛି ।

ଆୟାପା ସେବା ଭକ୍ତ ବୃନ୍ଦ ଙ୍କ ଦ୍ଵାରା କାନିସ୍ୱାମୀଙ୍କ ପଡ଼ି ପୂଜାରେ ଗୁଣପୁର, ବିକ୍ରମପୁର, ଏସ ପି ଗୁଡା, ରେଗଡା, ଗୁଡାରି, ପଦ୍ମପୁର, କୁଜେନ୍ଦ୍ରି, ବାତ୍ତିଲି, ଗୁମା ଲକ୍ଷ୍ମୀପୁର, କାଶିନଗର, ସାରା, ବାଡିଗାଁ, ଖାଣ୍ଡବା, ଗାଦିଆଖଳା ଅଞ୍ଚଳର ଶତାଧିକ ଆୟାପା ଦିକ୍ଷାଧାରୀ ଯୋଗ ଦେଇଥିଲେ । ପୈାରାଣିକ କଥା ଅନୁସାରେ ରାକ୍ଷସୀ ମହିଷିର କବଳରୁ ଦେବତା ଓ ମନୁଷ୍ୟଙ୍କୁ ରକ୍ଷା କରିବା ପାଇଁ ଭଗବାନ ଆୟାପା ଅବତାର ଧାରଣ କରିଥିଲେ । ପୁରାଣ ପୃଷ୍ଠାରୁ ଜଣାଯାଏ, ରାକ୍ଷସୀ ମହିଷି ତପସ୍ୟାରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଅମରତ୍ଵର ବର ମାଗିଥିଲା । କିନ୍ତୁ ବ୍ରହ୍ମା ଅମରତ୍ଵର ବର ଦେବାକୁ ମନା କରିବାରୁ ମହିଷି ହରି ହରଙ୍କ ପୁତ୍ର ବ୍ୟତୀତ ଅନ୍ୟ କେହି ଯେପରି ତାକୁ ମାରିପାରିବେ ନାହିଁ ସେହି ଵର ମାଗିଥିଲା ଓ ଵ୍ରହ୍ମ ତାହା ପ୍ରଦାନ କରିଥିଲେ ।

ଦୁଇ ପୁରୁଷଙ୍କ ସନ୍ତାନ ହେବା ସମ୍ଭବ ନୁହେଁ, ତେଣୁ ନିଜକୁ ଅମର ଭାବି ରାକ୍ଷସୀ ମହିଷି ଉତ୍ପାତ ଆରମ୍ଭ କଲା । ଭଗବାନଙ୍କ ଲିଳା ବିଚିତ୍ର , ସମୁଦ୍ର ମନ୍ଥନ ସମୟରେ ଭଗବାନ ହରି, ମୋହିନୀ ରୂପ ଧାରଣ କଲେ ଏବଂ ଏହି ସମୟରେ ହରି ହରଙ୍କ ମିଳନରେ ସ୍ୱାମୀ ଆୟାପାଙ୍କ ସୃଷ୍ଟି ହେଲା । ମୁଖ୍ୟତଃ ରାକ୍ଷସୀ ମହିଷିର ସଂହାର କରିବା ଉଦ୍ଦେଶ୍ୟରେ ଭଗବାନ ଆୟାପାଙ୍କ ଆବିର୍ଭାବ ହୋଇଥିଲା । ଭଗବାନ ଆୟାପାଙ୍କୁ କାର୍ତ୍ତିକେୟଙ୍କ ଏକ ସ୍ୱରୂପ ବୋଲି ମାନ୍ୟତା ରହିଛି । ଦକ୍ଷିଣ ଭାରତରେ ସ୍ୱାମୀ ଆୟାପାଙ୍କ ବହୁଳ ଭାବରେ ପୂଜାର୍ଚ୍ଚନା କରାଯାଏ ।

ପ୍ରଥମେ କଳସ ପୂଜା ସମାପନ ପରେ ଭଗବାନ ଆୟାପାଙ୍କୁ ପଞ୍ଚାମୃତ, ଚନ୍ଦନ, ବିଭୁତି, କୁଙ୍କୁମ, ଫୁଲ ଇତ୍ୟାଦିରେ ଅଭିଷେକ କରାଯାଇଥିଲା । ଏହାପରେ ଭଜନ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଦିନ ତମାମ ଏହି ଭଜନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆୟାପା ଭକ୍ତଵୃନ୍ଦ ବାଦ୍ୟର ତାଳେ ତାଳେ ଭକ୍ତିରେ ଲିନ ହୋଇ ନୃତ୍ୟ କରୁଥିବା ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା । ଏହି ପୂଜା କାର୍ଯ୍ୟକ୍ରମକୁ ସୁଦୂର ଶ୍ରୀକାକୁଲମର ଶର୍ମା ସ୍ୱାମୀ ପରିଚାଳିତ କରୁଥିବା ବେଳେ ଅନନ୍ତ ଗୁରୁସ୍ୱାମୀ , ଭାନୁ ଗୁରୁସ୍ୱାମୀ, ମଣି ଗୁରୁସ୍ୱାମୀ ସହଯୋଗ କରୁଥିବା ସୂଚନା ମିଳିଛି ।