ବରଗଡ଼ ଧନୁଯାତ୍ରା : ଆଜି ପାର୍ଶ୍ୱ ଚରିତ୍ର ପାଇଁ ଅଡିସନ

0
136
ବରଗଡ଼ ଧନୁଯାତ୍ରା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୦୭/୧୧) : ବରଗଡ଼ ଧନୁଯାତ୍ରା ର ଆଜି ପାର୍ଶ୍ୱ ଚରିତ୍ର ପାଇଁ ଅଡିସନରେ କେତେବେଳେ ଶୁଭୁଛି ବିକଟାଳ ହସ ତ କେତେବେଳେ ଦେଖିବାକୁ ମିଳୁଛି ଯୋଡ଼ହସ୍ତ ଗୁହାରୀ । କିଏ ନିଜ ହାତରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ କହି ଚିତ୍କାର କରୁଛି ତ କିଏ ନିଜ କଲା କର୍ମ ପାଇଁ ପଶ୍ଚାତାପ କରୁଛି ।

ବରଗଡ଼ ଧନୁଯାତ୍ରା ର ଆଜି ପାର୍ଶ୍ୱ ଚରିତ୍ର ପାଇଁ ଅଡିସନରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଦେଖିବାକୁ ମିଳିଛି କଳାକାରଙ୍କ ନିଖୁଣ ଅଭିନୟ । ଆଉ ମାସେ ପରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ଆଜି ଆରମ୍ଭ ହୋଇଛି କଳାକାର ଚୟନ ପ୍ରକ୍ରିୟା । ଗତ ୨ ବର୍ଷ କରୋନା ଯୋଗୁଁ ବରଗଡ଼ ଧନୁଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୭ ରେ ଆରମ୍ଭ ହେବ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ।

ଏହି ଯାତ୍ରାର କଂସ ଭୂମିକା ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ପାର୍ଶ୍ଵ ଚରିତ୍ର ପାଇଁ ଆରମ୍ଭ ହୋଇଯାଇଛି କଳାକାର ଚୟନ । ଜିଲ୍ଲା ତଥା ଜିଲ୍ଲା ବାହାରର ୭ ଜଣିଆ ଜୁରି କମିଟି ବିଚାରକ ଭାବେ ଯୋଗଦେଇ କଳାକାରଙ୍କ ଅଡିସନ ନେଇଛନ୍ତି । ଆଜି ଓ ୯ ତାରିଖରେ ପାର୍ଶ୍ୱ କଳାକାର ଚୟନ ପ୍ରକ୍ରିୟା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆସନ୍ତା ୧୦ ତାରିଖରେ କଂସ ଭୂମିକା ପାଇଁ ଅଡିସନ ହେବ ବୋଲି ଜଣାଯାଇଛି ।

ଆଜି ଯାତ୍ରାର ପାର୍ଶ୍ଵ ଚରିତ୍ର ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ତଥା ସେନାପତି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ପ୍ରକ୍ରିୟା ଚାଲିଛି । ଜଣକ ପରେ ଜଣେ ପ୍ରତିଯୋଗୀ ଜୁରି କମିଟି ସମ୍ମୁଖରେ ନିଜ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିଛୁନ୍ତି । ଅଙ୍ଗଭଙ୍ଗୀ ଚାଳନା ସହିତ ଗମ୍ଭୀର ସ୍ୱରରେ ସଂଳାପ କହୁଛନ୍ତି । ଉଗ୍ରସେନ ଭୁମିକା ପାଇଁ ୭ ଜଣ କଳାକାର, ବାସୁଦେବ ପାଇଁ ୧୯ଜଣ କଳାକାର, ନାରଦ ପାଇଁ ୧୪ ଜଣ କଳାକାର, ସେନାପତି ପାଇଁ ୩୭ ଜଣ ଏବଂ ଦେବକୀ ଭୂମିକା ପାଇଁ ୮ ଜଣ ମହିଳା କଳାକାର ଏହି ଅଡିସନରେ ସାମିଲ ହୋଇଛନ୍ତି ।

କଳାହାଣ୍ଡିର ପ୍ରଦୀପ ମାଝୀ,ବଲାଙ୍ଗିର ର ଜୋମାଲ ଖାନ, ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, ଦେବଗଡର ହେମନ୍ତ ମହାପାତ୍ର, ବରଗଡର ଲିଟୁ ମହାନ୍ତି, ବିଜେପୁର ର ଶିବଲାଲ ସାଗର ଏବଂ ପଦମପୁରର ଅଶୋକ ବହିଦାର ବିଚାରକ ଭାବେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ଧନୁଯାତ୍ରା ର ବିଭିନ୍ନ ଭୂମିକା ପାଇଁ ମୋଟ ୨୨୩ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬୦ ଜଣ କେବଳ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ।