ବିଜେଡି ର ଲଲିପପ୍ : ଉପନିର୍ବାଚନ ପାଇଁ ଆନ୍ଦୋଳନକୁ ଦେଖି ନରମିଲା

0
144
ବିଜେଡି

ରିପୋର୍ଟ : ରାମନାଥ ଗନ୍ତାୟତ
ବରଗଡ, (୧୩/୧୧) : ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ବିଭିନ୍ନ ପ୍ରସଙ୍ଗରେ ସେଠାରେ ଚାଲିଥିବା ଜନ ଆନ୍ଦୋଳନକୁ ପ୍ରଶମିତ କରିବାକୁ ତାଳିପକା ଉଦ୍ୟମ କରିଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ବନ୍ଦ ପାଳନ ସହ ବିଭିନ୍ନ କାର୍ଯ୍ୟକ୍ରମବେଳେ ସମ୍ପୂର୍ଣ୍ଣ ନିରବ ରହିଥିବା ବିଜେଡି ଆଜି ଏହି ଦାବିକୁ ପୂର୍ଣ୍ଣ ସମର୍ଥନ ଦେଇଛି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି ଓ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ର ଏହି ସମର୍ଥନ କେବଳ ‘ଲଲିପପ’ ସଦୃଶ ହୋଇଛି । ସେହିପରି ନଭେମ୍ବର ୧୫ରୁ ଧାନ କିଣା, ଇନପୁଟ୍ ସବସିଡି ଓ ବୀମା କ୍ଷତିପୂରଣ ପ୍ରଦାନ ଦାବିରେ ୧ ତାରିଖରୁ ଧାରଣାରେ ବସିଥିବା ରାଜବୋଡ଼ାସମ୍ବର ଚାଷୀ ସଂଗଠନକୁ ମନାଇବାକୁ ନଭେମ୍ବର ୧୭ରୁ ଧାନକିଣା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଗତ କିଛିଦିନ ଧରି ଆନ୍ଦୋଳନ ତ୍ୱରାନ୍ୱିତ ହୋଇଥିବାବେଳେ ଆଜି ଏହାର କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିଙ୍କ ସହ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ ସୁଶାନ୍ତ ସିଂ କହିଛନ୍ତି ଯେ, ପଦ୍ମପୁର ଜିଲ୍ଲା ଗଠନ ଦାବିକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେଉଛି ।

ପରବର୍ତ୍ତୀ ସମୟରେ ରାଜ୍ୟରେ ଜିଲ୍ଲା ପୁନର୍ଗଠନବେଳେ ପଦ୍ମପୁରକୁ ନିଶ୍ଚିତ ଭାବେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଓ ପଦ୍ମପୁର ଯେଭଳି ଭାବେ ଜିଲ୍ଲାର ମାନ୍ୟତା ପାଇବ ସେଥିପାଇଁ ବିଜେଡି ପ୍ରଚେଷ୍ଟା ଜାରି ରଖିବ ବୋଲି ଶ୍ରୀ ସିଂ କହିଛନ୍ତି । ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ଫେବୃୟାରୀ ୧୧ ତାରିଖରେ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବିରେ ଗଠିତ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ଆବାହକ ଅଜିତ୍ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ସେତେବେଳେ ଏହି ଦାବିକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହା ଏବେବି ପ୍ରତିଶ୍ରୁତିରେ ରହିଯାଇଛି ।

ସେହିପରି ପଦ୍ମପୁର ଉପଖଣ୍ଡ ଅଫିସ ଆଗରେ ଗତ ନଭେମ୍ବର ୧ରୁ ଧାରଣାରେ ବସିଥିବା ଚାଷୀ ସଂଗଠନର ଦାବିର ତାଳିପକା ସମାଧାନ ପାଇଁ ନଭେମ୍ବର ୨୫ ପରିବର୍ତ୍ତେ ନଭେମ୍ବର ୧୭ରୁ ମଣ୍ଡି ଖୋଲାଯାଇ ଧାନକିଣା ଯିବ ବୋଲି ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୂଚନା ଦିଆଯାଇଛି । ଏହାସହିତ ଇନପୁଟ୍ ସବସିଡି ଓ ବୀମା କ୍ଷତିପୂରଣ ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ରାଜ୍ୟ ସରକାର ନେବେ ବୋଲି ମଧ୍ୟ ସେମାନଙ୍କୁ ଶାସକ ବିଜେଡି ପକ୍ଷରୁ ଆଶ୍ୱାସନା ଦିଆଯାଇଛି ।

ଏପଟେ ପଦ୍ମପୁର ଅଂଚଳର ୩୦ରୁ ଅଧିକ ଚାଷୀ ନେତାମାନେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଗାମୀ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ଏହି ଦୁଇଟି ଜ୍ୱଳନ୍ତ ପ୍ରସଙ୍ଗ ଶାସକ ବିଜେଡି ପାଇଁ ଅଡ଼ୁଆ ବଢ଼ାଇବାର ଥିବାରୁ ଦଳ ପକ୍ଷରୁ ତାଳିପକା ସମାଧାନ ଉଦ୍ୟମ ହୋଇଛି । ତେବେ ଏହାର ପ୍ରଭାବ ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି ।