୨ କୋଟି ର ବୀମା ଟଙ୍କା ପାଇଁ ସ୍ତ୍ରୀଙ୍କୁ ମାରିଛି ସ୍ୱାମୀ !

0
127
୨ କୋଟି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୦୧/୧୨) : ୨ କୋଟି ର ବୀମା ଟଙ୍କା ପାଇଁ ସ୍ତ୍ରୀଙ୍କୁ ମାରିଛି ସ୍ୱାମୀ ! ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ସଡ଼କ ଦୁର୍ଘଟଣା ର ତଦନ୍ତ କରିବା ବେଳେ ପୁଲିସ୍‌ ହାତରେ ଲାଗିଛି ସାଂଘାତିକ ତଥ୍ୟ । ପ୍ରଥମେ ପୁଲିସ୍‌ ଯାହାକୁ ସଡ଼କ ଦୁର୍ଘଟଣାର କେସ ବୋଲି ଭାବୁଥିଲା, ବାସ୍ତବରେ ଏହା ପଛରେ ହତ୍ୟାର ଷଡ଼ଯନ୍ତ୍ର ଥିବା ଏବେ ଜାଣିବାକୁ ପାଇଛି ।

ଜଣେ ବ୍ୟକ୍ତି ପତ୍ନୀଙ୍କ ନାଁରେ ଥିବା ପ୍ରାୟ ୨ କୋଟି ର ବୀମା ଟଙ୍କା ପାଇବା ପାଇଁ ତାଙ୍କୁ ଯୋଜନା ବଦ୍ଧ ଭାବେ ସୁପାରି କିଲରଙ୍କ ଦ୍ୱାରା ଗାଡ଼ି ମଡ଼ାଇ ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି । ରାଜସ୍ଥାନର ଜୟପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି । ଅକ୍ଟୋବର ୫ ରେ ଜୟପୁରର ଶାଲୁ ଦେବୀ (୩୨) ଓ ତାଙ୍କ ସମ୍ପର୍କୀୟ ଭାଇ ରାଜୁ (୩୬) ବାଇ ଯୋଗେ ସାମୋଦ ମନ୍ଦିରକୁ ଯାଉଥିଲେ ।

ଜୟପୁର-ସିକାର ରୋଡର ହାରମଦା ଠାରେ ହଠାତ୍‌ ସେମାନଙ୍କ ଉପରେ ଗୋଟିଏ ଏସ୍‌ୟୁଭି ମାଡ଼ି ଯାଇଥିଲା । ଫଳରେ ଶାହୁଲ ଦେବୀଙ୍କ ମୃତ୍ୟୁ ଘଟିଥିଲା । ପୁଲିସ୍‌ ପ୍ରାଥମିକ ଭାବେ ଏହାକୁ ଏକ ସାଧାରଣ ସଡ଼କ ଦୁର୍ଘଟଣା ଭାବି ନେଇଥିଲା । କିନ୍ତୁ ତଦନ୍ତ ଚାଲିଥିବା ବେଳେ ୨୦ ଦିନ ତଳେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଥିଲା ।

୨୦ ଦିନ ତଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ଶାଲୁ ଦେବୀଙ୍କ ମୃତ୍ୟୁ ହେଲେ ତାଙ୍କ ସ୍ୱାମୀ ବୀମା ବାବଦରେ ୧.୯୦ କୋଟି ଟଙ୍କା ପାଇବେ । ତେଣୁ ପୁଲିସ୍‌ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ତଦନ୍ତ ଆରମ୍ଭ କରିଥିଲା । ଏଥିସହ ଶାଲୁ ଦେବୀଙ୍କ ସ୍ୱାମୀ ମହେଶ ମଧ୍ୟ ପୂର୍ବରୁ ଯୌତୁକ ନିର୍ଯାତନା କେସ୍‌ର ଅଭିଯୁକ୍ତ । ତେଣୁ ପୁଲିସ୍‌ ଘଟଣାର ତଦନ୍ତ କରି ମହେଶଙ୍କୁ ଜେରା କରିଥିଲା । ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।
ଡିସିପି (ପଶ୍ଚିମ) ବନ୍ଦିତା ରାଣା କହିଛନ୍ତି, ମହେଶ ଚନ୍ଦ୍ର ପତ୍ନୀ ଶାଲୁଙ୍କୁ ହତ୍ୟା କରିବା ପାଇଁ ପେଶାଦାର ଅପରାଧୀ ମୁକେଶ ସିଂହ ସହ ୧୦ ଲକ୍ଷ ଟଙ୍କାର ଡିଲ କରିଥିଲେ । ଡିଲ ବାବଦରେ ସେ ୫.୫୦ ଲକ୍ଷ ଟଙ୍କା ମଧ୍ୟ ମୁକେଶକୁ ଦେଇ ସାରିଥିଲେ । ପୁଲିସ୍‌ ମୁକେଶ, ମହେଶ, ରାକେଶ କୁମାର ଓ ସୋନୁ ସିଂହକୁ ଏହି ଘଟଣାରେ ଗିରଫ କରିଛି ।

ତଦନ୍ତୁ ଜଣାପଡ଼ିଛି ୨୦୧୭ରୁ ଶାଲୁ ଓ ମହେଶ ଅଲଗା ଅଲଗା ରହୁଥିଲେ । ତଥାପି ଚଳିତ ବର୍ଷ ମହେଶ ପତ୍ନୀ ଶାଲୁଙ୍କ ନାଁରେ ଗୋଟିଏ ବୀମା ଖୋଲିଥିଲେ । ୨୦୧୯ ରେ ଶାଲୁ ଯୌତୁକ ନିର୍ଯାତନା ଅଭିଯୋଗ କରିଥିବା ବେଳେ ମହେଶ କେମିତି ତାଙ୍କ ନାଁରେ ବୀମା ଖୋଲିବାକୁ ଆଗ୍ରହ ଦେଖାଇଲେ, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ଘଟଣାର ତଦନ୍ତ କରି ସଡ଼କ ଦୁର୍ଘଟଣା ପଛରେ ଥିବା ପ୍ରକୃତ କାରଣର ଖୁଲାସ କରାଯାଇଥିବା ସେ କହିଛନ୍ତି ।

ମହେଶ ସବୁଦିନ ପାଇଁ ଶାଲୁଙ୍କୁ ହତ୍ୟା କରିବାକୁ ପୂର୍ବରୁ ହିଁ ଚିନ୍ତା କରି ସାରିଥିଲେ । ଏଥିପାଇଁ ଯୋଜନା ମୁତାବକ ବୀମା କରାଇଥିଲେ। ଏଥିସହ ବିବାଦ ସତ୍ତ୍ୱେ ଶାଲୁଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏପ୍ରିଲ ମାସରେ ସେ ଶାଲୁଙ୍କ ଘରକୁ ଯାଇ ପରିବାରର ମଙ୍ଗଳ କାମନା ପାଇଁ ସାମୋଦ ମନ୍ଦିରରେ ଗୋଟିଏ ମାନସିକ କରିଥିବା କଥା କହିଥିଲେ ।

ପରିବାରର ମଙ୍ଗଳ ପାଇଁ ଶାଲୁ ଉକ୍ତ ମନ୍ଦିରକୁ ୧୧ ଥର ଯିବା ଦରକାର ବୋଲି ମହେଶ ତାଙ୍କୁ ବୁଝାଇଥିଲେ। ତାଙ୍କ କଥାରେ ଶାଲୁ ମଧ୍ୟ ରାଜି ହୋଇଥିଲେ । ଅକ୍ଟୋବର ୫ରେ ମହେଶ ନିଜ ଘର ବାହାରେ ଛିଡ଼ା ହୋଇ ସୁପାରି କିଲରଙ୍କୁ ଶାଲୁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ମଧ୍ୟ ଶାଲୁ ଯାଉଥିବା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଶାଲୁଙ୍କ ମୃତ୍ୟୁ ଘଟିଥିଲା । ୨୦୧୫ରେ ଶାଲୁ ଓ ମହେଶ ବିବାହ କରିଥିଲେ । ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛନ୍ତି ।