ତଣ୍ଟି ଚିପିବା ପରେ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା : ଦୁଷ୍କର୍ମ ସନ୍ଦେହ

0
120
ତଣ୍ଟି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୦୧/୧୨) : ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ୯ ବର୍ଷୀୟ ଝିଅଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏଥିସହ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ବୋଲି ନିଶ୍ଚିତ ହେବା ପାଇଁ ତାଙ୍କ ମୁଣ୍ଡରେ ପଥର ଛେଚାଯାଇଛି ।

ତଣ୍ଟି ଚିପିବା ପରେ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ! ଏପରି ନର୍ମମ ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ ମଧ୍ୟ କରାଯାଇଥିବା ପୁଲିସ୍‌ ସନ୍ଦେହ କରିଛି । ଅବଶ୍ୟ ରିପୋର୍ଟ ଆସିବା ପରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ, ତା’ହା ସ୍ପଷ୍ଟ ହେବ । ଏସ୍‌ପି ଆନନ୍ଦ ଶର୍ମା କହିଛନ୍ତି, ନାବାଳିକା ଜଣଙ୍କ ନାୟକ ସଂପ୍ରଦାୟର । ମଙ୍ଗଳବାର ସେ ନିଖୋଜ ହେବାର ଖବର ମିଳିଥିଲା ।

ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ନାବାଳିକା ଜଣଙ୍କ ଜଣେ ବ୍ୟକ୍ତିଙ୍କ ସହ ମଙ୍ଗଳବାର ରହିଥିଲେ । ଉକ୍ତ ବ୍ୟକ୍ତିଙ୍କ ସହ ମିଶି ଗୋଟିଏ ଦୋକାନରୁ ସେ ଚିପ୍ସ ପ୍ୟାକେଟ ମଧ୍ୟ କିଣିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ଅଭିଯୁକ୍ତ ଜଣକ ତାଙ୍କୁ ଚିପ୍ସ ର ଲୋଭ ଦେଖାଇ ଅପହରଣ କରିଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ନାବାଳିକାଙ୍କୁ ପ୍ରଥମ ଗୋଟିଏ କପଡ଼ା ଦ୍ୱାରା ତଣ୍ଟିଚିପି ହତ୍ୟା କରାଯାଇଛି । ଏହାପରେ ତାଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ ହୋଇଛି । ଘର ଠାରୁ ମାତ୍ର ୧.୫ କିମି ଦୂରରୁ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେଣୁ କୌଣସି ଚିହ୍ନା ପରିଚିତ ଲୋକ ହିଁ ଏପରି କାଣ୍ଡ ଘଟାଇଛି । ଶବ ବ୍ୟବଚ୍ଛେଦ ପରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି କି ନାହିଁ, ସେକଥା ସ୍ପଷ୍ଟ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି ।

ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ଗୋଟିଏ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଖବର ମିଳିବା ପରେ ଏସ୍‌ପି ଆନନ୍ଦ ଶର୍ମା, ତାଙ୍କ ଡେପୁଟି ଓ ଷ୍ଟେସନ ହାଉସ ଅଫିସର ତେଜୱନ୍ତ ସିଂହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ଏକାଧିକ ପୁଲିସ୍‌ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ଆସି ସ୍ଥିତିର ଛାନଭିନ କରିଥିଲେ । ନାବାଳିକାଙ୍କ ବାପା ଜଣେ ଦିନ ମଜୁରିଆ । ପ୍ରାଣ ହରାଇଥିବା ନାବାଳିକା ଜଣଙ୍କ ତାଙ୍କର ଏକମାତ୍ର ପିଲା ଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ତୁରନ୍ତ ଦୋଷୀକୁ ଧରିବା ପାଇଁ ଦାବି ମଧ୍ୟ କରିଛନ୍ତି ।