ରାଉଣ୍ଡ ୧୬ ରେ ଆର୍ଜେଣ୍ଟିନା ଓ ପୋଲାଣ୍ଡ : ଫିଫା ବିଶ୍ୱକପ

0
176
ରାଉଣ୍ଡ ୧୬

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଦୋହା, (୦୧/୧୨) : ଅପ୍ରତ୍ୟାଶିତ ଭାବେ ଫିଫା ଫୁଟବଲ ବିଶ୍ୱକପରେ ଦୁର୍ବଳ ସାଉଦି ଆରବ ଠାରୁ ହାରିଥିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଜବରଦସ୍ତ କମବ୍ୟାକ କରିଛି । ପ୍ରଥମ ମ୍ୟାଚ୍‌ରେ ହାରି ବ୍ୟାକଫୁଟରେ ଥିବା ଆର୍ଜେଣ୍ଟିନା କ୍ରମାଗତ ଦୁଇଟି ବିଜୟ ସହ ବିଶ୍ୱକପର ରାଉଣ୍ଡ ୧୬ ରେ ପ୍ରବେଶ କରିଛି ।

ବୁଧବାର ରାତିରେ ଖେଳାଯାଇଥିବା ପୋଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ରେ ଜିତି ନକଆଉଟରେ ପହଞ୍ଚି ଯାଇଛି। ସେହିପରି ପୋଲାଣ୍ଡ ହାରିବା ସତ୍ତ୍ୱେ ମଧ୍ୟ ଗୋଲ ବ୍ୟବଧାନ ବଳରେ ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ଗ୍ରୁପ ସି’ରୁ ଏହି ଦୁଇ ଦଳ ରାଉଣ୍ଡ ୧୬ ରେ ପହଞ୍ଚିଛନ୍ତି ।

କିନ୍ତୁ ବିଜୟ ସତ୍ତ୍ୱେ ମେକ୍ସିକୋ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଆର୍ଜେଣ୍ଟିନାକୁ ପ୍ରଥମ ମ୍ୟାଚ୍‌ରେ ଜଳକା କରିଥିବା ସାଉଦି ଆରବ ବୁଧବାର ରାତିରେ ମେକ୍ସିକୋ ଠାରୁ ହାରି ବିଦା ହୋଇଛି। ଏହାର ଅର୍ଥ ଗ୍ରୁପ ସି’ର ପ୍ରଥମ ସ୍ଥାନରେ ଆର୍ଜେଣ୍ଟିନା ଓ ଦ୍ୱିତୀୟ ସ୍ଥାନରେ ପୋଲାଣ୍ଡ ରହିଛନ୍ତି ।

ଆର୍ଜେଣ୍ଟିନା ଓ ପୋଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମ ହାଫ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଆର୍ଜେଣ୍ଟିନା ପାଇଁ ମ୍ୟାଚ୍‌ ଜିତିବା ଏକ ପ୍ରକାରର ଜରୁରୀ ଥିବାରୁ ଦଳ ସେକେଣ୍ଡ ହାଫରେ ରଣନୀତି ବଦଳାଇଥିଲା । ଏହାର ଫାଇଦା ମଧ୍ୟ ଦଳକୁ ୪୬ତମ ମିନିଟରେ ମିଳିଥିଲା।

ଏକ ସୁନ୍ଦର ପାସକୁ ଆଲେକ୍ସି ମାକ ଅଲିଷ୍ଟେର ଗୋଲରେ ପରିଣତ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ । ୬୭ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ କରିଥିଲେ ଜୁଲିଆନ ଅଲଭାରେଜ। ଏହି ଦୁଇଟି ଗୋଲ ଆର୍ଜେଣ୍ଟିନାକୁ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା । ପୋଲାଣ୍ଡ ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ରକ୍ଷଣଭାଗକୁ ଭେଦ କରିବା ଦଳ ପାଇଁ ସହଜ ହୋଇ ନଥିଲା। ଶେଷରେ ଆର୍ଜେଣ୍ଟିନା ମ୍ୟାଚ୍ ଜିତି ଟେବୁଲ ଟପ୍ପର ସହ ରାଉଣ୍ଡ ୧୬ରେ ପହଞ୍ଚିଛି ।

ଏହି ଗ୍ରୁପର ଆଉ ଏକ ମ୍ୟାଚରେ ସାଉଦି ଆରବ ଓ ମେକ୍ସିକୋ ଲଢ଼େଇ କରିଥିଲେ । ଏହି ମ୍ୟାଚ୍‌ଟି ମଧ୍ୟ ବେଶ ରୋମାଞ୍ଚକର ରହିଥିଲା । ଶେଷ ଭାଗରେ ହାଇଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଥମ ହାଫ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ ହାଫରେ ମେକ୍ସିକୋ ଗୋଲ ସ୍କୋର କରିଥିଲା । ୪୭ତମ ମିନିଟରେ ଦଳ ପାଇଁ ହେନରୀ ମାର୍ଟିନ ପ୍ରଥମ ଗୋଲ ଦେଇଥିଲେ । ଏହାର ୫ ମିନିଟ ପରେ ଅର୍ଥାତ ମ୍ୟାଚ୍‌ର ୫୨ତମ ମିନିଟରେ ଲୁଇସ ଚାଭେଜ ଆଉ ଏକ ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ ।

ମେକ୍ସିକୋ ୨-୦ରେ ଲିଡ୍‌ କରୁଥିବାରୁ ଦଳ ରାଉଣ୍ଡ ୧୬କୁ ଯିବ ବୋଲି ଆଶା ସୃଷ୍ଟି ହୋଇଥିଲା । କାରଣ ପୋଲାଣ୍ଡ ଓ ମେକ୍ସିକୋର ଗୋଲ ବ୍ୟବଧାନ ସମାନ ରହିଥିଲା । ତେଣୁ ମେକ୍ସିକୋ ଜିତିବା ମାତ୍ରେ ରାଉଣ୍ଡ ୧୬ରେ ପହଞ୍ଚି ଥାଆନ୍ତା। ମ୍ୟାଚ୍‌ର ୯୦ ମିନିଟ୍‌ ଯାଏ ସାଉଦି ବିପକ୍ଷରେ ମେକ୍ସିକୋ ୨-୦ରେ ଆଗୁଆ ରହିଥିଲା ।

ହେଲେ ଇଞ୍ଜ୍ୟୁରି ଟାଇମରେ ମେକ୍ସିକୋର ସବୁ ଆଶାରେ ପାଣି ପଡ଼ି ଯାଇଥିଲା । ଇଞ୍ଜ୍ୟୁରି ଟାଇମ ଭାବେ ୫ ମିନିଟ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଇଞ୍ଜ୍ୟୁରି ଟାଇମର ଶେଷ ମିନିଟରେ ସାଉଦିର ସାଲେମ ଗୋଲ ସ୍କୋର କରିଥିଲେ । ଫଳରେ ମ୍ୟାଚ୍‌ ୨-୧ ସ୍ଥିତିକୁ ଚାଲି ଆସିଥିଲା । ମେକ୍ସିକୋ ମ୍ୟାଚ୍‌ ଜିତିଥିଲା ସତ କିନ୍ତୁ ଗୋଲ ବ୍ୟବଧାନରେ ପୋଲାଣ୍ଡ ଠାରୁ ପଛରେ ରହି ଯାଇଥିଲା। ତେଣୁ ଦଳକୁ ବିଶ୍ୱକପରୁ ବିଦା ହେବାକୁ ପଡ଼ିଛି ।

ପୋଲାଣ୍ଡ ଓ ମେକ୍ସିକୋର ପଏଣ୍ଟ ସଂଖ୍ୟା ସମାନ ୪ ଲେଖାଏ ରହିଛି । ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏରେ ହାରିଛନ୍ତି ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛନ୍ତି । କିନ୍ତୁ ଗୋଟିଏ ଗୋଲ ବ୍ୟବଧାନ ହିଁ ମେକ୍ସିକୋକୁ ବାହାରର ରାସ୍ତା ଦେଖାଇଛି ।