ମାଟି ମା’ର ସୁରକ୍ଷା ପାଇଁ ପାଳନ ହେଲା ବିଶ୍ଵ ମୃତ୍ତିକା ଦିବସ

0
181
ମାଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୧୨) : ଆଜି ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମାଟି ମା’ର ସୁରକ୍ଷା ପାଇଁ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ବିଶ୍ଵ ମୃତ୍ତିକା ଦିବସ

କଥାରେ ଅଛି ” ମାଟିର ସୁରକ୍ଷା ଜୀବନ ରକ୍ଷା” । ପୃଥିବୀର ସମସ୍ତ‌ ଜୀବଜଗତ ମାଟିକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବେଳେ ଆଜି ସେହି ମାଟି ମା’ର ଅବସ୍ଥା ସଙ୍କଟାପନ୍ନ । ଯାହା ଫଳରେ ଜୀବଜଗତ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ମାଟିର ସୁରକ୍ଷା ପାଇଁ ଆଜି ବିଶ୍ଵ ସ୍ତରରେ ମୃତ୍ତିକା ଦିବସ ପାଳନ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୃଷି ଜିଲ୍ଲା ଅଧିକାରୀ, ଗୁଣପୁର ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗଦେଇ ଜମିର ଉର୍ବରତା ବୃଦ୍ଧି ନେଇ ଜୈବିକ ସାର ପ୍ରୟୋଗ ସହ ମୃତ୍ତିକା ପରିକ୍ଷା କରି ଆବଶ୍ୟକ ପରିମାଣର ସୁଷମ ସାର ଓ କିଟ ନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ ।

ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଵିନୋଦ ଚନ୍ଦ୍ର ବେହେରା ମୃତ୍ତିକା ସୁରକ୍ଷା, ଏହାର ସୁପରିଚାଳନା ଓ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସହକାରୀ ଉଦ୍ୟାନ ଅଧିକାରୀ ସତ୍ୟବ୍ରତ ସାହୁ ଯୋଗଦେଇ କୃଷି ଉତ୍ପାଦନ ବୃଦ୍ଧି ପାଇଁ ମୃତ୍ତିକାର ଉର୍ଵରତା ବୃଦ୍ଧି ଓ ଆନୁଷଙ୍ଗିକ ପଦକ୍ଷେପ ଏକାନ୍ତ ଆବଶ୍ୟକ ବୋଲି ଚାଷୀ ମାନଙ୍କୁ କହିଥିଲେ ।

ମାନବ ଅଧିକାର ସେବା ସମିତିର କର୍ମକର୍ତ୍ତା ଦେବେନ୍ଦ୍ର ଗୈାଡ ମାଟିର ଉର୍ଵରତା ବଜାୟ ରଖିବାକୁ ହେଲେ ଜୈବିକ ସାର ପ୍ରୟୋଗ , କମ୍ପୋଷ୍ଟ ଖତ ବ୍ୟବହାର , ଜିଆ ଖତ , ନିମ୍ବ ପିଡ଼ିଆ ପ୍ରୟୋଗ ସହ ସବୁଜ ସାର ଓ ଖରାଟିଆ ଚାଷ ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଚାଷୀ ମାନଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ।

୨୦୧୪ ମସିହାରୁ ବିଶ୍ଵ ମୃତ୍ତିକା ଦିବସ ପାଳିତ ହେଉଥିଲେ ମଧ୍ୟ ଆଜିର ସଭ୍ୟ ମଣିଷ ତା’ର ଧ୍ଵଶକାରୀ ବିଜ୍ଞାନ, ବିଷବୋଳା ଚାଷ, ପରିବେଶ ପ୍ରତିକୂଳ ଶିଳ୍ପ ଦ୍ଵାରା ମାଟିକୁ ନିଷ୍ଠୁର ଭାବେ ବଳତ୍କାର କରି ଚାଲିଛି । ବର୍ତ୍ତମାନ ମାଟିର ଅବସ୍ଥା ସଙ୍କଟାପନ୍ନ, ଏହାକୁ ସୁଧାରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ତେଣୁ ଚାଷି ଭାଇ ଓ ଭଉଣୀ ମାନଙ୍କୁ ସଚେତନ ହେବାର ସମୟ ଆସିଛି । ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପରିମଳ ତରାଇ , ଅମିତ ଜ୍ୟୋତି ମାଝୀ, ସ୍ଵର୍ଣ୍ଣ ସାରିକା ବେହେରା ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।