ପିକଅପ୍ ଭ୍ୟାନ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର

0
108
ପିକଅପ୍ ଭ୍ୟାନ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସୋନପୁର, (୨୦/୧୨) : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ପିକଅପ୍ ଭ୍ୟାନ୍‌ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ୍ ଭ୍ୟାନ୍‌ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି ।

ସେମାନେ ହେଲେ ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଳାମାଲ ଗାଁ’ର କେଶବ କଟୁଆଳ ଓ ତରୁଣ ମେହେର । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କପା ବୋଝେଇ ପିକଅପ୍ ଭ୍ୟାନ୍‌ ଟି ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଏହି ସମୟରେ ସୋନପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ଟ୍ରକ ସହ ପିକଅପ୍ ଭ୍ୟାନ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ପିକ୍‌ଅପଭ୍ୟାନର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା ।

ଡ୍ରାଇଭର ଓ ହେଲପର ତା’ ଭିତରେ ପଶି ରହିଥିଲେ । ପୁଲିସ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ପ୍ରଥମେ ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ହେଲେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ । ପୁଲିସ ୨ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।