ଜିମ୍‌ ମାଲିକ ଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା

0
112
ଜିମ୍‌ ମାଲିକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୧/୧୨) : ନୂଆବର୍ଷର ଦିନକ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ ଦିଲ୍ଲୀ । ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଘଟିଛି ବଡ଼ ଅଘଟଣ । ୩ ଜଣ ଯୁବକ ଜଣେ ଜିମ୍‌ ମାଲିକ ଙ୍କୁ ତାଙ୍କ ଅଫିସ ଭିତରେ ପଶି ଗୁଳି କରି ହତ୍ୟା କରିଛନ୍ତି ।

ଏଥିସହ ଜିମ୍‌ ମାଲିକ ଙ୍କ ଅଫିସରେ ଲାଗିଥିବା ସିସିଟିଭି ରେକର୍ଡରକୁ ନିଜ ସହ ନେଇ ଯାଇଛନ୍ତି । ଦୋଷୀଙ୍କ ବିରୋଧରେ ପୁଲିସ୍‌ ହାତରେ କୌଣସି ସୁରାଗ ନଥିବାରୁ ତଦନ୍ତରେ ସମସ୍ୟା ସୃଷ୍ଟି ହୋଇଛି । ଗୁଳିମାଡ଼ରେ ପ୍ରାଣ ହରାଇଥିବା ଜିମ ମାଲିକ ଜଣଙ୍କ ହେଉଛନ୍ତି ୪୫ ବର୍ଷୀୟ ମହେନ୍ଦ୍ର ଅଗ୍ରୱାଲ । ସେ ଦିଲ୍ଲୀରେ ଏକାଧିକ ଏନର୍ଜି ଜିମ ଓ ସ୍ପାର ମାଲିକ । ଏଥିସହ ସେ ଜିମିଂ ପାଇଁ ସରଞ୍ଜାମ ମଧ୍ୟ ବିକ୍ରି କରନ୍ତି । ଶୁକ୍ରବାର ରାତି ପ୍ରାୟ ୮ଟାରେ ଏନର୍ଜି ଫିଟନେଶର ଏମଡି ମହେନ୍ଦ୍ର ତାଙ୍କର ଗୋଟିଏ ଜିମ ଉପରେ ଥିବା ମୁଖ୍ୟ ଅଫିସରେ ବସିଥିଲେ ।

ଏହି ସମୟରେ ହଠାତ୍‌ ୩ ଜଣ ଯୁବକ ବନ୍ଧୁକ ଧରି ଅଫିସ ଭିତରେ ଧସେଇ ପଶିଥିଲେ । ମହେନ୍ଦ୍ର କିଛି ବୁଝିବା ଆଗରୁ ସେମାନେ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିବାରୁ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଯୁବକ ମାନେ ଭଲ ଭାବେ ଜାଣିଥିଲେ ଯେ ମହେନ୍ଦ୍ର ତାଙ୍କ ଅଫିସରେ ସିସିଟିଭି ଲଗାଇଛନ୍ତି । ତେଣୁ ଧରାପଡ଼ିଯିବା ଭୟରେ ସେମାନେ ନିଜ ସହ ସିସିଟିଭି ରେକର୍ଡରରୁ ନେଇ ଯାଇଛନ୍ତି । ଜମି କିମ୍ବା ଅଫିସର ସିସିଟିଭି ରେକର୍ଡର ନଥିବାରୁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା କ୍ୟାମେରା ଫୁଟେଜକୁ ଯାଞ୍ଚ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି ।

ସେହିପରି ଫରେନ୍ସି ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । ଏଥିସହ ମହେନ୍ଦ୍ରଙ୍କର କାହା ସହ ପୂର୍ବରୁ ଶତ୍ରୁତା ଥିଲା କି ନାହିଁ, ସେ ବିଷୟରେ ପରିବାର ଲୋକ ଓ ସମ୍ପର୍କୀୟମାନଙ୍କ ଠାରୁ ତଥ୍ୟ ଯୋଗାଡ଼ କରିବାକୁ ପୁଲିସ୍‌ ଲାଗି ପଡ଼ିଛି । ନୂଆବର୍ଷ ଓ ଡିସେମ୍ବର ୩୧ ପାଇଁ ରାଜଧାନୀରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବୋସ୍ତ କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଉଛି । ଏହାସତ୍ତ୍ୱେ ଅପରାଧୀମାନେ ଏପରି କାଣ୍ଡ ଘଟାଇ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।