Friday, March 29, 2024

Top 5 This Week

Related Posts

ମହିଳା ଡାକ୍ତର ଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସସପେନ୍ସ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର/ଚମ୍ପୁଆ, (୦୨/୦୧) : ନିଜ ସରକାରୀ ବାସଭବନରୁ ମିଳିଲା ମହିଳା ଡାକ୍ତର ଙ୍କ ମୃତଦେହ । ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

ମୃତ ମହିଳା ଡାକ୍ତର ୨୫ ବର୍ଷୀୟ ଶୁଭଶ୍ରୀ କର । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସରକାରଙ୍କ ନିରାମୟ ଯୋଜନାରେ ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ । ସେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ରବିବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍‌ ସମୟରେ ଯାଇ ନ ଥିଲେ ।

ଏହାପରେ ସନ୍ଦେହ ହେବାରୁ ସନ୍ଧ୍ୟା ସମୟରେ ତାଙ୍କ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ । ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଖଟ ଉପରେ ପଡିଥିବା ପାଇଥିଲା । ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡାକ୍ତର ଶୁଭଶ୍ରୀ କର ଙ୍କ ଘର କଟକ ଜିଲ୍ଲା ନିଆଳିରେ ହୋଇଥିବା ବେଳେ ଖବର ପାଇ ତାଙ୍କ ପରିବାର ଲୋକେ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ପହଞ୍ଚିଛନ୍ତି । ଝିଅର ମୃତ୍ୟୁ ଖବର ଯୋଗୁଁ ଶକ୍ତ ଝଟକା ଲାଗିଥିବା ବେଳେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏପରିକି ସେମାନେ କିଛି କହିବାକୁ ମନା କରି ଦେଇଥିବା ବେଳେ ମୃତଦେହ ଧରି ଗାଁ’କୁ ଫେରିଯିବେ ବୋଲି ଜଣାଯାଇଛି । ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡିନଥିବାବେଳେ ପୁଲିସ୍‌ ତଦନ୍ତ ଜାରି ରହିଛି ।

Popular Articles