ନବବଧୂ କୁ କରେଣ୍ଟ ଲଗାଇ ହତ୍ୟା ଅଭିଯୋଗ

0
97
ନବବଧୂ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୨/୦୧) : ଦେଢ ବର୍ଷ ତଳେ ଗଢ଼ିଥିଲେ ସଂସାର । କୋଳକୁ ଛୁଆଟିଏ ବି ଆସିଥିଲା । ହେଲେ କଲବଲ କଲା ପାରିବାରିକ ବିବାଦ । ସବୁବେଳେ ଦାମ୍ପତ୍ୟ କଳହ ଲାଗି ରହୁଥିବା ବେଳେ ନୂଆ ବର୍ଷରେ ମିଳିଲା ନବବଧୂ ର ଝୁଲନ୍ତା ମୃତଦେହ ।

ନୂଆ ବର୍ଷରେ ନବବଧୂ କୁ କରେଣ୍ଟ ଲଗାଇ ହତ୍ୟା ଅଭିଯୋଗ । ଝିଅକୁ କରେଣ୍ଟ ଲଗାଇ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପରିକି ମାରିଦେବା ପରେ ତାହାକୁ ଆତ୍ମହତ୍ୟାର ରୂପ ଦେବାକୁ ସେମାନେ ଝିଅର ମୃତଦେହକୁ ଫ୍ୟାନରେ ଟାଙ୍ଗି ଦେଇଥିବା ବି କହିଛନ୍ତି । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡାପଡା ଗାଁ’ରେ ଏଭଳି ସାଂଘାତିକ ଘଟଣା ଘଟିଛି । ମୃତା ମହିଳା ଜଣକ ହେଲେ ବାଙ୍ଗୁରସିଙ୍ଗା ଗାଁ’ର ସାଗରିକା ମହାକୁଡ ।

୨୦୨୧ ମସିହା ଜୁଲାଇ ୭ ତାରିଖରେ ସାଗରିକା ପୋଡାପଡା ଗାଁ’ର ରତିକାନ୍ତ ଭୁତିଆଙ୍କୁ ବିବାହ କରିଥିଲେ । ବିବାହ ପରେ ସାଗରିକାଙ୍କୁ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅର ଶାରିରୀକ ନିର୍ଯାତନା ଦେଉଥିବା ତାଙ୍କ ମା’ ଝରଣା ମହାକୁଡ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଝିଅକୁ ମାରପିଟ କରିବାରୁ ସାଗରିକାଙ୍କ ଘର ଲୋକ ତାଙ୍କୁ ଘରକୁ ମଧ୍ୟ ନେଇ ଯାଇଥିଲେ । ହେଲେ ତାଙ୍କ ଶ୍ୱଶୁର ସୁରେଶ ଭୁତିଆ ଓ ସ୍ୱାମୀ ପହଞ୍ଚି ପୁଣି ବୁଝାବୁଝି କରି ସାଗରିକାଙ୍କୁ ଘରକୁ ଫେରାଇ ନେଇଥିଲେ ।

ଗତକାଲି ଭୋର ସମୟରେ ସାଗରିକା ମହାକୁଡଙ୍କ ମୃତଦେହ ଶ୍ୱଶୁର ଘରେ ଫ୍ୟାନରେ ଝୁଲୁଥିବା ଖବର ପାଇ ବାପଘର ଲୋକେ ପହଞ୍ଚିଥିଲେ । ଏହାପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଗରିକାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ମୋଟଙ୍ଗା ଥାନାରେ ଏତଲା ଦିଆଯାଇଛି ।

ଏହାକୁ ଭିତ୍ତି କରି ପୁଲିସ୍‌ ତାଙ୍କ ସ୍ୱାମୀ ରତିକାନ୍ତ ଭୁତିଆ ଓ ଶଶୁର ସୁରେଶ ଭୁତିଆଙ୍କୁ ଅଟକ ରଖି ପଚରାଉଚରା କରୁଛି । ସାଗରିକାଙ୍କର ଏକ ଛୋଟ ଶିଶୁ ରହିଥିବା ବେଳେ ଝିଅକୁ ତା’ ଶାଶୁ ଘର ଲୋକେ ହିଁ ମାରି ଦେଇଥିବା ତା’ ମା ଝରଣା ମହାକୁଡ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ।