ସମ୍ପର୍କରେ ବିଷ ମିଶାଇଲା ସାବତ ମା’: ନିଜ ଝିଅକୁ ପୋଡ଼ି ପାଉଁଶ କଲା ବାପା

0
107
ସମ୍ପର୍କରେ ବିଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଣାର୍କ, (୧୦/୦୧) : ସମ୍ପର୍କରେ ବିଷ ମିଶାଇଲା ସାବତ ମା’ । ଯେଉଁ ବାପା ଅଳି ଅଝଟ ସହି ଛୋଟରୁ ବଡ଼ କରିଥିଲେ ସିଏ ହିଁ ସାଜିଲେ ନିଜ ଝିଅର ହତ୍ୟାକାରୀ ।

ସମ୍ପର୍କରେ ବିଷ ମିଶାଇଲା ସାବତ ମା’: ନିଜ ଝିଅକୁ ପୋଡ଼ି ପାଉଁଶ କଲା ବାପା । ସାବତ ମା’ ଓ ସାବତ ମାମୁଁ ସହ ମିଶି ଝିଅକୁ ମାରି ପୋଡ଼ି ପାଉଁଶ କରିଦେଲେ । ଏ ସମ୍ପର୍କରେ ଜାଣିବା ପରେ ମୃତା ଯୁବତୀଙ୍କ ବଡ଼ ଭଉଣୀ ୩ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏପରି ଅମାନବୀୟ ଘଟଣା ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁ’ରେ ଘଟିଛି । ମୃତା ଯୁବତୀ ହେଲେ ଦୁର୍ଗାଚରଣ ମହାରଣାଙ୍କ ସାନ ଝିଅ ମୋନାଲି ମହାରଣା ।

ଦୁର୍ଗାଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀ ଗତ ୨୦୧୮ରେ ଆଖି ବୁଜିଥିଲେ । ମା’ଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଝିଅ ରଞ୍ଜିତା ଓ ମୋନାଲି ବାପାଙ୍କ ପାଖରେ ରହୁଥିଲେ । ବଡ଼ ଭଉଣି ରଞ୍ଜିତା କଲିକତାରେ ଏକ ଘରୋଇ ଅଫିସରେ କାର୍ଯ୍ୟ କରିବା ସହ ସାନ ଭଉଣୀଙ୍କୁ ଗୋପ ମହାବିଦ୍ୟାଳୟରେ +୩ ର ପର୍ଯ୍ୟନ୍ତ ପାଠ ପଢାଉଥିଲେ । ବାପା ଦୁର୍ଗାଚରଣ ୨୦୨୦ରେ ଦ୍ୱିତୀୟ ବିବାହ କରିବା ପରେ ରଞ୍ଜିତା ଓ ମୋନାଲିଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା । ରଞ୍ଜିତା କୋଲକତାରେ ରହୁଥିବା ବେଳେ ମୋନାଲି ସବୁବେଳେ ଫୋନ୍ ଯୋଗେ ବଡ ଭଉଣୀକୁ ସାବତ ମା’ର ନିର୍ଯାତନା କଥା ଜଣାଉଥିଲା ।

ରଞ୍ଜିତା ଗୋପ ଥାନାରେ ଗତକାଲି କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ରାତ୍ରିରେ ମୋନାଲିଙ୍କୁ ତାଙ୍କ ବାପାଙ୍କ ସମେତ ତାଙ୍କ ସାବତ ମା’ ମମତା ଓଝା ଓ ସାବତ ମା’ଙ୍କ ଭାଇ ଜୀବନ ଓଝା ମିଶି ହତ୍ୟା କରିଥିଲେ । ଏହାପରେ ରାତିରେ ମୃତଦେହକୁ ଗାଁ ଶ୍ମଶାନକୁ ନେଇ ପୋଡି ଦେଇଥିଲେ । କେହି ଯେପରି କିଛି ସୁରାଗ ନ ପାଇବେ ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇ ସଫା କରି ଦେଇଥିଲେ । ଏ ସମ୍ପର୍କରେ ରଞ୍ଜିତାଙ୍କୁ ଗାଁ ଲୋକେ ଫୋନ୍ ମାଧ୍ୟମରେ ଜଣାଇବା ପରେ ସେ କଲିକତାରୁ ଘରକୁ ଆସି ସାନ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କ ବାପା ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଏହାପରେ ସେ ମଶାଣିକୁ ଯାଇ ତାହା ସଫା ହୋଇଥିବା ଦେଖିବାକୁ ପାଇଥିଲେ ।

ସାନ ଭଉଣୀର ପତ୍ତା ନ ପାଇ ରଞ୍ଜିତା ଗୋପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗୋପ ପୁଲିସ ମଶାଣିକୁ ଯାଇ କିଛି ପାଉଁଶ ସହ ଅସ୍ତି ସଂଗ୍ରହ କରିବା ସହ ସାଇଣ୍ଟିଫିକ ଟିମ୍‌ ଡକାଇ ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ଗୋପ ପୁଲିସ ଦୁର୍ଗାଚରଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।ମା’ ଯିବା ପରେ ନିଜର ବୋଲି କେବଳ ମୋ’ର ସାନ ଭଉଣୀ ହିଁ ଥିଲା । ସେ ଯିବା ପରେ ମୁଁ ସମ୍ପୂର୍ଣ୍ଣ ଏକା ହୋଇ ପଡ଼ିଛି ବୋଲି କହିଛନ୍ତି ବଡ଼ ଭଉଣୀ ରଞ୍ଜିତା । ରଞ୍ଜିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ୍‌ ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ନିମାପଡା ଏସଡିପିଓ ଦେବାଶିଷ ମିଶ୍ର କହିଛନ୍ତି ।