ଭାରତ ଯୋଡୋ ଯାତ୍ରାରେ ହୃଦଘାତ : ସାଂସଦ ଙ୍କ ଦେହାନ୍ତ

0
127
ଭାରତ ଯୋଡୋ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚଣ୍ଡିଗଡ, (୧୪/୦୧) : ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ସାଂସଦଙ୍କୁ ହୃଦ୍‌ଘାତ । ଚାଲିଗଲା ସନ୍ତୋଖ ସିଂହ ଚୌଧୁରୀଙ୍କ ଜୀବନ ।

ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ କଂଗ୍ରେସ ସଂସଦ ରାହୁଲ ଗାନ୍ଧିଙ୍କ ସହ ସନ୍ତୋଖ ସିଂହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହ ପଦ ଯାତ୍ରା କରିବା ବେଳେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍‌ସ୍ ଯୋଗେ ଲୁଧିଆନାର ଫଗ୍‌ୱାରାସ୍ଥିତ ବିର୍କ ହସ୍ପିଟାଲ୍‌କୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି ।

ଏହି ଖବର ପାଇବା ପରେ ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ଛାଡି ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି। ସେପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି । ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଅକାଳ ବିୟୋଗ ଯୋଗୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ଆତ୍ମା ଶାନ୍ତି ଲାଭ କରୁ ବୋଲି ଟୁଇଟ୍ କରି ଲେଖିଛନ୍ତି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ଆଜି ହୃଦ୍‌ଘାତ ଯୋଗୁଁ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଖୁବ୍ ଦୁଃଖିତ । ଏଭଳି ଦୁଃଖଦାୟକ ସମୟରେ ତାଙ୍କର ପରିବାର ବର୍ଗଙ୍କ ପ୍ରତି ମୋର ଆନ୍ତରିକ ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଜି ସକାଳେ ରାହୁଲ୍ ଗାନ୍ଧିଙ୍କ ନେତୃତ୍ୱରେ ପଞ୍ଜାବର ଫତେଗଡ଼ ସାହିବ୍ ଅନ୍ତର୍ଗତ ସିର୍‌ହିନ୍ଦ୍‌ରୁ ‘ଭାରତ ‌ଯୋଡ଼ୋ ଯାତ୍ରା’ ଆରମ୍ଭ କରାଯାଇଥିଲା ।