Friday, March 29, 2024

Top 5 This Week

Related Posts

ପାନୀୟଜଳ ପାଇଁ ଗରା ବାଲଟି ଧରି ରାସ୍ତାରୋକ କଲେ ମହିଳା

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୫/୦୧) : ପାନୀୟଜଳ ଯୋଗାଣ ସମସ୍ୟା ସମାଧାନ ନ ହେବରୁ ମଙ୍ଗଳବାର ବୀରମହାରାଜପୁର – ଅମରପାଲି ରାସ୍ତାର ହିଲୁଙ୍ଗ ଛକ ନିକଟରେ ମହିଳାମାନେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି ।

ପୂର୍ବାହ୍ନ ୧୦ ଘଣ୍ଟା ସମୟରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ମହିଳା ରାସ୍ତା ଉପରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କରିଥିଲେ । ସୁଚନାଯୋଗ୍ୟ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତର ସଦର ଟିକରାସାହିରେ ପ୍ରାୟ ୪୦ ପରିବାର ବସବାସ କରନ୍ତି । ହିଲୁଙ୍ଗ ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ଜଳ ଯୋଗାଣ ହେଉଥିଲେ ମଧ୍ୟ ଆଜିକୁ ପ୍ରାୟ ୫ ବର୍ଷ ହେବା ଟିକିରାସାହିକୁ ଜଳ ଯୋଗାଣ ହେଉ ନାହିଁ । ଉକ୍ତ ସାହିକୁ ଲାଗିଥିବା ପାଇପ ଫାଟି ଯିବା ସହିତ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ଦୀର୍ଘଦିନ ହେଲା ଉକ୍ତ ସାହିକୁ ଟୋପାଏ ମଧ୍ୟ ପାଣି ଆସୁ ନାହିଁ । ଏପରିକି ଉକ୍ତ ସାହିରେ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇ ପଡିଛି ।

ଏ ନେଇ ସ୍ଥାନୀୟ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନ ଥିବା କଥା ମହିଳାମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ବାଧ୍ୟ ହୋଇ ଉକ୍ତ ସାହିର ପ୍ରାୟ ୫୦ ଜଣରୁ ଉର୍ଦ୍ଧ୍ୱ ସଂଖ୍ୟକ ମହିଳା ନିଜ ପିଲାଛୁଆ ଧରି ରାସ୍ତା ଉପରେ ଗରା, ବାଲଟି ଧରି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମଟର ଅଟକି ରହିଥିଲା । ଖବରପାଇ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଏବିଡିଓ ପୁରୁଷୋତ୍ତମ ଧରୁଆ ଘଟଣା ସ୍ଥଳକୁ ଯାଇ ମହିଳାମାନଙ୍କ ସହିତ ଆଲୋଚନା କରଥିଲେ । ଅଚଳ ଥିବା ନଳକୂପ ଗୁଡିକ ମରାମତି କରାଯିବା ସହିତ ଦଶ ଦିନ ମଧ୍ୟରେ ପାଇପ ଲାଇନ ମରାମତି କରି ଜଳଯୋଗାଣ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ଦିନ ପ୍ରାୟ ୧ଟା’ ବେଳେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Popular Articles