ଗାଁ’କୁ ପକ୍କାରାସ୍ତା ନଥିବାରୁ ଭିନ୍ନକ୍ଷମ ରୋଗୀଙ୍କୁ ଭାରରେ ବୁହାଯାଇଛି

0
105
ଗାଁ'କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୮/୦୧) : ଗାଁ’କୁ ପକ୍କା ରାସ୍ତା ନଥିବାରୁ ଜଣେ ଭିନ୍ନକ୍ଷମ ରୋଗୀଙ୍କୁ ଭାରରେ ବୁହାଯାଇଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତର ସାକିଲୋଭା ଗ୍ରାମରେ ।

ସୂଚନା ଅନୁଯାୟୀ, ସାକିଲାଭା ଗ୍ରାମର ଅଞ୍ଚଳି ପିଡିକା (୧୫) ଦୁଇଦିନ ତଳେ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଶୋଇଥିବା ସ୍ଥାନ ନିକଟରେ ନିଆଁ ଲଗାଇ ଶୋଇ ପଡ଼ିଥିଲେ । ଏହି ନିଆଁ ଅଞ୍ଚଳିଙ୍କ ଶରୀରରେ ଲାଗିଯିବାରୁ ତାଙ୍କର ଦୁଇଟି ପାଦ ଓ ଜଙ୍ଘ ପୋଡ଼ି ଯାଇଥିଲା । ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗାଁ’କୁ ପକ୍କାରାସ୍ତା ନଥିବା ସହିତ ରାସ୍ତାରେ ପଡ଼ୁଥିବା ନାଳରେ ପୋଲ ନିର୍ମାଣ ହୋଇନଥିବାରୁ ଗାଁ’କୁ ଆମ୍ବୁଲାନ୍‌ସ ଆସୁନଥିବାରୁ ବାପା ମୁସୁରି ପିଡିକା ଓ ମାଆ ଆଲିକି ପିଡିକାଙ୍କ ସହିତ ଅନ୍ୟ କିଛି ଜଣ ଅଞ୍ଜଳିଙ୍କୁ ଏକ ଝୁଡ଼ି ଭିତରେ ବସାଇ ୫କିଲୋମିଟର ବୋହି ଆଲମଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ଅଞ୍ଚଳିଙ୍କୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଆଜି ପର୍ଯ୍ୟନ୍ତ ଗାଁ’କୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେଳେ ରାସ୍ତାରେ ପଡ଼ୁଥିବା ନାଳରେ ପୋଲ ନିର୍ମାଣ ହୋଇନଥିବାରୁ ଯାତାୟାତ ସମୟରେ ଗ୍ରାମବାସୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପକ୍କା ରାସ୍ତା ଓ ପୋଲ ନିର୍ମାଣ ପାଇଁ ବହୁବାର ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅତି ଶୀଘ୍ର ରାସ୍ତା ଓ ପୋଲ ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।