ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୬) : ଓଡିଶା ସରକାରଙ୍କ ତରଫରୁ ଗ୍ରାମ୍ୟଞ୍ଚଳରେ ଗୃହ ସହାୟତା ନିମନ୍ତେ “ମୋ ଘର” ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଗରିବ ଓ ନିମ୍ନ ମଧ୍ୟବିତ୍ତପରିବାର “ମୋ ଘର ” ଯୋଜନା ରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣିକରଣ ତଥା ଉନ୍ନତି କରଣ ନିମନ୍ତେ ଯେପରି ଅଧିକରୁ ଅଧିକ ଆବେଦନ କରି ଯୋଜନାର ଲାଭ ନେଇପାରିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଯୋଜନାର ଶତ ପ୍ରତିଶତ ସଫଳତା ନିମନ୍ତେ ଜିଲ୍ଲା ର ତୃଣମୂଳ ସ୍ତରରେ ପଞ୍ଚାୟତି ରାଜ ଜନପ୍ରତିନିଧି, ଗ୍ରାମ୍ୟ ସ୍ତରୀୟ ଅଧିକାରୀ, ଏସ ଏଚ ଜି ସଦସ୍ୟା, ସ୍ଥାନୀୟ ଜନସାଧାରଣ ପ୍ରଭୁତିଙ୍କୁ ସାମିଲ କରି ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା, ପଲ୍ଲିସଭା ଅନୁଷ୍ଠିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ସିଡିଓ ତଥା ଇଓ ଜିଲ୍ଲାପରିଷଦ ଙ୍କୁ ପରାମର୍ଶ ଦେଇଛନ୍ତି l
ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ତଥ୍ୟ ସହ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପୂର୍ବକ ଜନସଚେତନତା କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି l ବୈଠକରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର ଯୋଜନାର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରି ଜିଲ୍ଲାରେ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ନିଆଯିବାକୁଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ l “ମୋ ଘର” ଯୋଜନା ର ବିସ୍ତୃତ ରୂପରେଖ ଉପରେ କାର୍ଯ୍ୟକ୍ରମ ପରିଚାଳକ (ଗ୍ରାମ୍ୟଞ୍ଚଳ ଗୃହ ଯୋଜନା) ଜିଲ୍ଲାପରିଷଦ ଆଲୋକ ରଶ୍ମି ମିଶ୍ର ପାୱାର ପ୍ରେଜେଣ୍ଟେସନ ଜରିଆରେ ଉପସ୍ଥାପନ କରିଥିଲେ l
ବୈଠକରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପ ଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ସମସ୍ତ ତହସିଲଦାର, ଜିଲ୍ଳାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, କାର୍ଯ୍ୟକ୍ରମ ପରିଚାଳକ (ସୂଚନା ଓ ପ୍ରଯ୍ୟୁକ୍ତି ) ଜିଲ୍ଳାପରିଷଦ ମନୋଜ କୁମାର ମିଶ୍ର, ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସନତ ନାୟକ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ l