Friday, March 29, 2024

Top 5 This Week

Related Posts

ଏମ୍ସରେ ହେବ ଫଙ୍ଗସ୍‌ ବାୟୋ ବ୍ୟାଙ୍କ : ଫଙ୍ଗସ୍‌ ଗବେଷଣାକୁ ଗୁରୁତ୍ୱ ଦିଆଯିବ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୯/୦୮) : ଏମ୍ସରେ ହେବ ଫଙ୍ଗସ୍‌ ବାୟୋ ବ୍ୟାଙ୍କ । ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ସମେତ ପୂର୍ବ ଭାରତରେ ମଣିଷ ଶରୀରକୁ ସଂକ୍ରମିତ କରୁଥିବା ଫଙ୍ଗସ୍‌ ନମୁନା ସଂଗ୍ରହ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥାରେ ରଖାଯିବ, ଯାହାକି ଫଙ୍ଗସ୍‌ ଚିକିତ୍ସା ଗବେଷଣାରେ କାର୍ଯ୍ୟରେ ଆସିବ । ଏଥିପାଇଁ ପିଜିଆଇ ଚଣ୍ଡିଗଡ଼ ସହାୟତା କରିବ ।

ଏଥିସହିତ ଫଙ୍ଗସ୍‌ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ସମସ୍ତ ପ୍ରକାର ପରୀକ୍ଷଣ ବ୍ୟବସ୍ଥା ୬ ମାସ ମଧ୍ୟରେ କରାଯିବ । ଏମ୍ସରେ ହେବ ଫଙ୍ଗସ୍‌ ଗବେଷଣା ପାଇଁ ସ୍ଥାପିତ ଆଡଭାନ୍ସ ମଲିକୁଲାର ଆଣ୍ଡ୍‌ ଡାଇଗ୍ନୋଷ୍ଟିକ ସେଣ୍ଟର ପାଇଁ ମଞ୍ଜୁର ୨.୫ କୋଟି ଟଙ୍କାର କାର୍ଯ୍ୟ କରାଯିବ ବୋଲି ଏମ୍ସ ମାଇକ୍ରୋବାଇଲୋଜି ବିଭାଗର ଡାକ୍ତର ବିନୟ ହାଲୁର କହିଛନ୍ତି ।

ଡା. ହାଲୁରଙ୍କ କହିବା ଅନୁଯାୟୀ ଆମ ପରିବେଶରେ ୩୫ ଲକ୍ଷ ଫଙ୍ଗସ୍‌ ରହିଛି । ଏଥିରୁ ୪୦୦ରୁ ୫୦୦ ଫଙ୍ଗସ୍ ହିଁ ମଣିଷକୁ ସଂକ୍ରମିତ କରିଥାଏ । ଯେଉଁ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଯେତେ କମ୍‌, ତାଙ୍କୁ ଫଙ୍ଗସ୍‌ ସେତେ ଶୀଘ୍ର ସଂକ୍ରମଣ କରେ । ଅତି କମ୍‌ ସଂଖ୍ୟକ ଫଙ୍ଗସ୍‌ ସାଧାରଣ ଲୋକଙ୍କୁ ସଂକ୍ରମିତ କରୁଥିବାବେଳେ ଏଥିଯୋଗୁଁ ଜୀବନ ଯିବାର ଆଶଙ୍କା କମ୍‌ ଥିବାରୁ ପୂର୍ବରୁ ଫଙ୍ଗସ୍‌ ଗବେଷଣାକୁ ଏତେଟା ଗୁରୁତ୍ବ ଦିଆଯାଉନଥିଲା । ବର୍ତ୍ତମାନ କିନ୍ତୁ ସ୍ଥିତିରେ ପରିବର୍ତ୍ତନ ହୋଇଛି ।

ମ୍ୟୁକର୍‌ମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ର ଭୟାବହତା ସମସ୍ତେ ଅନୁଭବ କରିଛନ୍ତି । କଣ୍ଟା ଫୋଡ଼ି ହୋଇ ମାଇସିଟୋମା, ଦେହରେ ଜାଦୁ ଭଳି ବାହାରିବା ମଧ୍ୟ ଫଙ୍ଗସ୍‌ ସଂକ୍ରମଣର ଅନ୍ତର୍ଗତ । ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ, ରକ୍ତ କର୍କଟ ସମେତ ବିଭିନ୍ନ କାରଣ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବା ରୋଗୀ ସହଜରେ ଫଙ୍ଗସ୍‌ ସଂକ୍ରମଣ ଶିକାର ହେଉଛନ୍ତି ।

ଅନ୍ୟଦିଗରେ ଓଡ଼ିଶା ସମେତ ମୁଖ୍ୟତଃ ପୂର୍ବ ଭାରତରେ କେତୋଟି ଫଙ୍ଗସ୍‌ ରହିଛି, ସେମାନଙ୍କ ଲକ୍ଷଣ, ଭୟାବହତା ସମ୍ପର୍କରେ ଡାକ୍ତରଙ୍କ ପାଖରେ ସ୍ପଷ୍ଟ ସୂଚନା ନାହିଁ । ଅଜଣା ଫଙ୍ଗସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସାରେ ସମସ୍ୟା ଦେଖା ଦେଉଛି । ତେଣୁ ଫଙ୍ଗସ୍‌ ନମୁନାଗୁଡ଼ିକୁ କୃତ୍ରିମ ଭାବରେ ଡିପ୍‌ ଫ୍ରିଜରରେ ମାଇନସ୍ ୮୦ ଡିଗ୍ରି ତାପମାତ୍ରାରେ ତରଳ ନାଇଟ୍ରୋଜେନ ଜରିଆରେ ସଂରକ୍ଷିତ କରାଯାଇ ଫଙ୍ଗସ୍‌ ବାୟୋ ବ୍ୟାଙ୍କ ପ୍ରତିଷ୍ଠାର ଲକ୍ଷ୍ୟ ରହିଛି ।

Popular Articles