ରିପୋର୍ଟ : ଓଡିଶାନ୍ୟୁଜ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୩୧/୦୮) : ସାଉଥ ଆଫ୍ରିକାର ଷ୍ଟାର ବୋଲର ଡେଲ୍ ଷ୍ଟେନ୍ କ୍ରିକେଟ ର ସମସ୍ତ ପ୍ରକାର ଫର୍ମାଟରୁ ସନ୍ୟାସ ନେଇଛନ୍ତି । ଏ ନେଇ ଷ୍ଟେନ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ଦିନେ ବୋଲିଂ ମେରୁଦଣ୍ଡ ଥିବା ଡେଲ୍ ଷ୍ଟେନ୍ ଦଳକୁ ଅନେକ ଥର ଅସମ୍ଭବ ବିଜୟ ଦେଇଛନ୍ତି । ଶାଣିତ ବୋଲିଂରେ ବିଶ୍ବର ମହାନ ବ୍ୟାଟ୍ସମ୍ୟାନ୍ଙ୍କୁ ଆଣ୍ଠେଇ ଦେଇପାରୁଥିବା ବୋଲର ହେଉଛନ୍ତି ଡେଲ୍ ଷ୍ଟେନ୍ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ଟି ଟେଷ୍ଟ, ୧୨୫ ଦିନିକିଆ ଏବଂ ୪୭ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ଖେଳିଛନ୍ତି ଡେଲ୍ ଷ୍ଟେନ୍ । ଟେଷ୍ଟ କ୍ରିକେଟରେ ସେ ମୋଟ ୪୩୯ଟି ଓ୍ବିକେଟ ନେଇଛନ୍ତି । ୨୦୧୯ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଥିବା ଷ୍ଟେନ୍ କେବଳ ସୀମିତ ଓଭର ମ୍ୟାଚ ଖେଳୁଥିଲେ । ଶେଷ ଥର ପାଇଁ ୨୦୨୦ରେ ଅେଷ୍ଟ୍ରଲିଆ ବିପକ୍ଷରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିଥିଲେ ଷ୍ଟେନ୍ । ଗତ କିଛି ବର୍ଷ ହେଲା ସେ ଆହତ ଜନୀତ ସମସ୍ୟା ଦେଇ ଗତିକରୁଥିଲେ । ୨୦୧୬ ମସିହାରେ ଅେଷ୍ଟ୍ରଲିଆ ଗସ୍ତ ସମୟରେ ଷ୍ଟେନ୍ଙ୍କ କାନ୍ଧରେ ଆଘାତ ଲାଗିଥିଲା । ସେବେଠାରୁ ସେ ନିୟମିତ ଭାବେ ଆହତ ସମସ୍ୟା ଦେଇ ଗତିକରିବା ସହ ବାରମ୍ବାର ଟିମରୁ ବାଦ୍ ପଡୁଥିଲେ । ଏବେ ସୋସିଆଲ ମିଡିଆ ଜରିଆରେ କ୍ରିକେଟ ର ସମସ୍ତ ଫର୍ମାଟରୁ ଅଲବିଦା କହିଛନ୍ତି ସେ ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟେନ୍ କହିଛନ୍ତି, ‘ଆଜି ବିଦ୍ଧିବଦ୍ଧ ଭାବେ କ୍ରିକେଟରୁ ସନ୍ୟାସ ନେଉଛି । ମୁଁ ସବୁଠାରୁ ପସନ୍ଦ କରୁଥିବା ଜିନିଷକୁ ଛାଡିବାକୁ ପଡୁଛି, ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହେଉଛି ଏହି ନିଷ୍ପତ୍ତି ନେବାକୁ ।’
ବିଶ୍ବ କ୍ରିକେଟରେ ଡେଲ୍ ଷ୍ଟେନ୍ ଥିଲେ ଅପ୍ରତିଦ୍ବନ୍ଦି ବୋଲର । ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବଲ ପକାଇବା ସହିତ ଲାଇନ୍ ଏବଂ ଲେନ୍ଥ୍ରେ ବ୍ୟାଟ୍ସମ୍ୟାନ୍ମାନଙ୍କୁ ଚକ୍ମା ଦେବାରେ ମାହିର ଥିଲେ ଷ୍ଟେନ୍ । ନିଜର ୨୦ ବର୍ଷର କ୍ୟାରିୟର ମଧ୍ୟରେ ଦକ୍ଷିଣ ଆଫ୍ରିକା ଟିମ ପାଇଁ ବେଶ ପରିଶ୍ରମ କରିଛନ୍ତି । ପେସ୍ ବୋଲିଂ ଏବଂ ବଲକୁ ସ୍ବିଙ୍ଗ୍ କରିବାରେ ସେ ଥିଲେ ମାହିର । ୨୦୦୮ ମସିହାରେ ଟେଷ୍ଟ କ୍ରିକେଟରେ ତାଙ୍କୁ ଆଇସିସି ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ମିଳିଥିଲା । ଏହା ବାଦ୍ ୨୦୧୩ ମସିହାରେ ଲିଡିଂ କ୍ରିକେଟର ଆଓ୍ବାର୍ଡ, ୨୦୧୧ ଏବଂ ୨୦୧୪ରେ ଆଇସିସି ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ମାନ୍ୟତା ମିଳିଥିଲା ।
୨୦୦୪ ମସିହାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଡେଲ୍ ଷ୍ଟେନ୍ । ମୋଟ ୯୩ଟି ଟେଷ୍ଟ ଖେଳିଥିବା ବେଳେ ୪୩୯ଟି ଓ୍ବିକେଟ ନେବା ସହିତ ୧୨୫୧ ରନ କରିଛନ୍ତି । ସେହିଭଳି ଦିନିକିଆରେ ୧୨୫ ମ୍ୟାଚ ଖେଳିଥିବା ବେଳେ ୧୯୬ଟି ଓ୍ବିକେଟ ଏବଂ ଟ୍ବେଣ୍ଟି ଟ୍ବେଣ୍ଟିରେ ୪୭ ମ୍ୟାଚ ଖେଳି ୬୪ଟି ଓ୍ବିକେଟ ନେଇଛନ୍ତି ଡେଲ୍ ଷ୍ଟେନ୍ ।