ଦେଢ ମାସରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କଲା ହ୍ୱାଟସଆପ୍

0
182

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୩/୦୯) : କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ଲାଗୁ ହେବା ପରେ ମେସେଜିଂ ଆପ୍ ହ୍ୱାଟସଆପ୍ ଦେଢ ମାସରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି । ଜୁନ୍ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ କମ୍ପାନି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତ ସରକାରଙ୍କ ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନି ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛି । କମ୍ପାନି ଉପରୋକ୍ତ ସମୟ ମଧ୍ୟରେ ନିର୍ଦ୍ଧିଷ୍ଟ ଭାବେ ୩୦ ଲକ୍ଷ ୨୭ ହଜାର ଆକାଉଣ୍ଟକୁ ରଦ୍ଧ କରିଛି ।

ଦେଢ ମାସରେ ଏହି ସମୟ ଅବଧି ମଧ୍ୟରେ କମ୍ପାନି ୫୯୪ଟି ଅଭିଯୋଗ ପାଇଛି ବୋଲି କହିଛି । ସ୍ୱୟଂକ୍ରିୟ ମେସେଜ ରେ ଅଣସ୍ୱୀକୃତ ବ୍ୟବହାର ସମେତ ଅନ୍ୟାନ୍ୟ ଅଭିଯୋଗରେ କମ୍ପାନି ଉକ୍ତ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଛି । ୫୯୪ଟି ଅଭିଯୋଗ ମଧ୍ୟରୁ ୭୪ଟି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ଅର୍ଥ ନିଷିଦ୍ଧ କରାଯାଇଛି କିମ୍ବା ପୁନଃକାର୍ଯ୍ୟକ୍ଷମ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଫେସବୁକ, ହ୍ୱାଟ୍ସଆପ୍, ଟ୍ୱିଟର ଭଳି ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସକୁ ମାସ ନିୟମ କାର୍ଯ୍ୟକାରୀ ରିପୋର୍ଟ ପ୍ରକାଶ କରାଯିବାକୁ କୁହାଯାଇଛି । ତେଣୁ ଏହି ନିୟମ ଅନୁଯାୟୀ ଆମେ ଜୁନ ୧୬ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୪୬ ଦିନର ରିପୋର୍ଟ ପ୍ରକାଶ କରିଛୁ ବୋଲି ହ୍ୱାଟ୍ସଆପ୍ ରେ ପ୍ରବକ୍ତା କହିଛନ୍ତି ।

ନୂଆ ଆଇଟି ନିୟମ ମେ ମାସ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇଛି । କେତେ ଅଭିଯୋଗ ଆସିଛି ଏବଂ କେତୋଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେବାର ପ୍ରାବଧାନ ଏଥିରେ ରହିଛି ।