ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମିଶନଶକ୍ତି ହଲଠାରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

0
195

ରିପୋର୍ଟ : ଏ.ସତୀଶ
ନବରଙ୍ଗପୁର,(୦୩/୦୯) : କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାନୀୟ ମିଶନଶକ୍ତି ହଲଠାରେ ସ୍ୱାଧୀନତାର ୭୫ ବର୍ଷପାଳନ ଅବସରରେ ‘ମୁକ୍ତିର ଅମୃତ ମହୋତ୍ସବ’ ପାଳନ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଭାରତ ସରକାରଙ୍କର ନିର୍ଦ୍ଦେଶରେ ପ୍ରାୟ ସମସ୍ତ ବିଭାଗ ଦ୍ୱାରା ସ୍ୱାଧୀନତାର ୭୫ ବର୍ଷପାଳନ ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବା କହିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ କେତେ ଦୂର ପହଞ୍ଚିଛି ଓ ଆହୁରି ଆଗକୁ ଯିବାର ଅଛି ତାର ସମୀକ୍ଷା କରିବାର ବେଳ ଆସିଥିବା କହିଥିଲେ ।

ଜିଲ୍ଲାରେ ଏହି ବିଭାଗର ଦ୍ୱାରା ୨୫୫୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ଆଗକୁ ଜିଲ୍ଲାର ବହୁ ରାସ୍ତାର ମରାମତି ହେବ। ପ୍ରତ୍ୟେକ ଗାଁକୁ ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ରହିଛି । ତୃତୀୟ ପର୍ଯ୍ୟାୟରେ ଡାକ୍ତରଖାନା, ମଣ୍ଡି, ସ୍କୁଲ ଓ କଲେଜକୁ ରାସ୍ତା ସଂଯୋଗ ପାଇଁ ଯୋଜନା ରହିଥିବା କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ଜିଲ୍ଲାର ବିକାଶ, ରାସ୍ତାଘାଟର ନିର୍ମାଣ ପାଇଁ ଆହୁରି ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜିଲ୍ଲାପାଳ ଡଃ,ଅଜିତ୍‍ କୁମାର ମିଶ୍ର ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ସଂପର୍କରେ କହିବା ସହ ବିଭାଗ ଦ୍ୱାରା ଜିଲ୍ଲାରେ କରାଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ସଂପର୍କରେ କହିଥିଲେ । ଜଳଯୋଗାଣ ପାଇଁ ପାଇପ କାର୍ଯ୍ୟ ଯୋଗୁଁ ବହୁ ରାସ୍ତା ଖରାପ ହୋଇଥିବା ଅଭିଯୋଗ ହୋଇଛି । ଏହାର ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିଏଲ ପୁରୁଷୋତମ ଦାସ, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ମାକର ସାହୁ, ଉପଜିଲାପାଳ ସୁନୀଲ ଅଗ୍ରୱାଲଙ୍କ ସମେତ ବହୁ ଲୋକପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।