ଅକ୍ଟୋବର ୩୦ ସୁଦ୍ଧା ରାଜ୍ୟରେ ମରୁଡ଼ି ଘୋଷଣା ନିଷ୍ପତ୍ତି : ମନ୍ତ୍ରୀ ସୁଦାମ ମାରାଣ୍ଡି

0
156

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୦୯) : ବିଧାନସଭାରେ ରାଜ୍ୟରେ ତୁରନ୍ତ ମରୁଡ଼ି ଘୋଷଣା ପାଇଁ ବିରୋଧୀ ଦଳର ଦାବିକୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଅଗ୍ରାହ୍ୟ କରିଦେଇଛନ୍ତି । ମରୁଡ଼ି ଘୋଷଣା ପାଇଁ ଅକ୍ଟୋବର ୩୦ ସୁଦ୍ଧା ଅପେକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି ।

ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ମରୁଡ଼ି ପରିଚାଳନା ନିୟମାବଳୀ ଜାରି କରି ୫ଟି ମାପଦଣ୍ଡ ସ୍ଥିର କରିଛନ୍ତି । ଏହି ମାପଦଣ୍ଡକୁ ଭିତ୍ତି କରି ଅକ୍ଟୋବର ୩୦ ସୁଦ୍ଧା ମରୁଡ଼ି ଘୋଷଣା କରାଯାଏ ବୋଲି ସେ କହିଛନ୍ତି ।

ବିଧାନସଭାରେ ବିରୋଧୀ ଦଳର ଅଭିଯୋଗର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ୧ ଲକ୍ଷ ୧୯ ହଜାର ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ୨୦ଟି ଜିଲ୍ଲାର ୧୦୨ ବ୍ଲକରେ ବୃଷ୍ଟିପାତ ଅଭାବ ଯୋଗୁ ଧାନ ଫସଲର ରୁଆ ଓ ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଜଳସେଚନ ବାଧାପ୍ରାପ୍ତ ହେବାର ଆଶଙ୍କା ଅଛି । ଅଦ୍ୟାବଧି ୮୬,୪୪୮ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ କରାଯାଇଛି ।

ଭଳଭଣ୍ଡାର ସ୍ଥତି ଉପରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଏବେ ଜଳଭଣ୍ଡାର ଗୁଡ଼ିକରେ କମ୍ ପରିମାଣରେ ଜଳ ଗଚ୍ଛିତ ଅଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ପ୍ରଭାବରେ ଭଲ ବୃଷ୍ଟିପାତ ହେବ ବୋଲି ଆଶା କରାଯାଉଛି । ଯଦି ଭଲ ବର୍ଷା ନ ହୁଏ, ତେବେ ଜଳଭଣ୍ଡାରରେ ଥିବା ଗଚ୍ଛିତ ଜଳର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ପାନୀୟ ଜଳ ଓ ପରେ ଜଳସେଚନ କଥା ଚିନ୍ତା କରାଯିବ । ବର୍ତ୍ତମାନର ସ୍ୱଳ୍ପ ବୃଷ୍ଟିଜନିତ ସମସ୍ୟା ଓ ସାମ୍ପ୍ରତିକ ଫସଲର ଅବସ୍ଥା ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।

କୃଷି ଓ ଜଳସମ୍ପଦ ବିଭାଗ ଫସଲ ରକ୍ଷା କରିବା ପାଇଁ ସବୁପ୍ରକାର ଚେଷ୍ଟା କରୁଛନ୍ତି । ୩୦ଟି ଜିଲ୍ଲା ପାଇଁ ନୋଡାଲ୍ ଅଫିସର ନିଯୁକ୍ତି ଦିଆଯାଇଛି ଏବଂ ସେମାନେ ଜୁଲାଇ ଓ ଅଗଷ୍ଟ ମାସରେ କ୍ଷେତ୍ର ପରିଦର୍ଶନ କରି ଫସଲର ଅବସ୍ଥା ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଆକଳନ କରିଛନ୍ତି । କୃଷି ଉତ୍ପାଦନ କମିସର୍ନଙ୍କ ଅଧ୍ୟକ୍ଷତାରେ ଏକ ଚାଷ ଓ ପାଣିପାଗ ପର୍ଯ୍ୟବେକ୍ଷଣ କମିଟି ଗଠନ କରାଯାଇ ପ୍ରତ୍ୟେକ ସପ୍ତାହରେ ଚାଷ ଓ ପାଣିପାଗର ଅବସ୍ଥିତି ଉପରେ ସମୀକ୍ଷା କରାଯାଉଛି ।

ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଅନାବୃଷ୍ଟି ଓ ତତ୍ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିକଳ୍ପ ଚାଷ ନିମିତ୍ତ ଚାଷୀଙ୍କୁ ଋଣ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଯଦି ସମସ୍ତ ଚେଷ୍ଟା ସତ୍ତ୍ୱେ ଫସଲ ରକ୍ଷା କରିବା ସମ୍ଭବ ନ ହୁଏ, ତେବେ ନିୟମ ଅନୁସାରେ କୃଷି ଅବସ୍ଥାକୁ ସମ୍ପୂର୍ଣ୍ଣ ସମବେଦନାର ସହିତ ବିଚାର କରି ମରୁଡ଼ି ସଂକ୍ରାନ୍ତୀୟ ସିଦ୍ଧାନ୍ତ ନେବା ପାଇଁ ସରକାର ପଦକ୍ଷେପ ନେବେ ।