Friday, March 29, 2024

Top 5 This Week

Related Posts

ଆଜି ପବିତ୍ର ବାଲି ତୃତୀୟା : ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି,(୦୯/୦୯) : ଆଜି ପବିତ୍ର ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା । ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ । ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ ।

ଆଜି ପବିତ୍ର ବାଲି ତୃତୀୟା ବିବାହିତା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାଆନ୍ତି । କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣ ସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି । ନୂତନ ବସ୍ତ୍ର ପରିଧାନ କରନ୍ତି । ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟ ଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଉପବାସ ରହିବାକୁ ହୁଏ । ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ । ବାଲି ତୃତୀୟା ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ । ମହାଦେବ ଯେପରି ଆଶୁତୋଷ ସେମିତି ବି ରୁଦ୍ର । ତେଣୁ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି ।

ମା’ ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ । ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇଥିଲେ । ତେଣୁ ବିବାହିତା ନାରୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି । ପୁଣି ଥରେ ଅପରାହ୍ନରେ ସୂର୍ଯ୍ୟାସ୍ତ ସମୟରେ ଆମ୍ବ ଡାଳରେ ଦାନ୍ତଘଷି, ସ୍ନାନ କରି ପାଣିରେ ବୁଡ଼ି ସାତ ମୁଠା ବାଲି ଆଣନ୍ତି । ସେଥିରେ ଜଳାଶୟ କୂଳରେ ଏକ ଶିବ ଲିଙ୍ଗ ଏବଂ ଘରେ ମଧ୍ୟ ଏକ ବାଲୁଙ୍କା ଶିବଲିଙ୍ଗ ତିଆରି କରି ପୂଜା କରନ୍ତି । ଫୁଲ, ବେଲପତ୍ର ଚଢ଼ାନ୍ତି । ପାଖରେ ଏକ କଦଳୀ ଗଛ ପୁଆ ପୋତନ୍ତି । ପରଦିନ ଭୋରରୁ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ । ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍‌ଯାପନ କରାଯାଏ । ପବିତ୍ର ବାଲି ତୃତୀୟା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ।

Popular Articles