Tuesday, September 21, 2021
Google search engine
Homeଜିଲ୍ଲା ଖବରପ୍ରବଳ ବର୍ଷା ଭାଙ୍ଗିଲା ଭୁବନେଶ୍ୱର ଓ ପୁରୀରେ ରେକର୍ଡ : ପୁରୀରେ ୩୪୧ ମିମି ବର୍ଷା...

ପ୍ରବଳ ବର୍ଷା ଭାଙ୍ଗିଲା ଭୁବନେଶ୍ୱର ଓ ପୁରୀରେ ରେକର୍ଡ : ପୁରୀରେ ୩୪୧ ମିମି ବର୍ଷା ରେକର୍ଡ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୪/୦୯) : ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ପରିମାଣର ବର୍ଷା ହୋଇଥିବା ବେଳେ ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରରେ ରାସ୍ତାଘାଟରେ ଲହଡ଼ି ମାରୁଛି ପାଣି । ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଭରି ଯାଇଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ହାଲୁକା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୁରୁଣା ଭୁବନେଶ୍ୱର ସ୍ଥିତି ଅନେକ ମନ୍ଦିରରେ ପାଣି ପଶିଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରବିବାର ସକାଳ ସାଢେ଼ ୮ଟାରୁ ସୋମବାର (ଆଜି) ସକାଳ ସାଢେ଼ ୮ଟା ମଧ୍ୟରେ ଅର୍ଥାତ୍ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ହୋଇଛି । ସେହିପରି ପାରାଦ୍ୱୀପରେ ୨୧୯ ମିମି, ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି ।

ପାରାଦ୍ୱୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ବର୍ଷା ସାଙ୍ଗକୁ ପବନ ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି । ଅନେକ ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି । ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି । କୁଜଙ୍ଗରେ ଗଛ ସାଙ୍ଗକୁ କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି ।

ଅନ୍ୟପକ୍ଷରେ ଲଘୁଚାପ ଅବପାତର ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ଭୋରରୁ ସ୍ଥଳପଥ ଅତିକ୍ରମ କରିଛି । ଆଜି ଦିନ ତମାମ ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ । ସେହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ।

ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶା ବି ପ୍ରବଳ ବର୍ଷା ହେବ । ସମ୍ବଲପୁର, ଦେବଗଡ଼, ସୋନପୁର ଓ ବରଗଡ଼, ଅନୁଗୋଳରେ ବି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments