ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦୁଇ ଦିନିଆ ଢେଙ୍କାନାଳ ଗସ୍ତ

0
150

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୭/୦୯) : ଆଜି ଅନୁସୂଚୀତ ଜନଜାତି ଏବଂ ଅନୁସୂଚୀତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଢେଙ୍କାନାଳ ଆକାଂକ୍ଷା ଜିଲ୍ଲା ପ୍ରଭାରୀ ଶ୍ରୀମତୀ ରଞ୍ଜନା ଚୋପ୍ରା ଦୁଇ ଦିନିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିଲେ |

ସେ ସରକାରଙ୍କ ଉନ୍ନୟନମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ସମୀକ୍ଷା କରିଛନ୍ତି | ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ଯୋଜନାଗୁଡ଼ିକ ସମ୍ପର୍କରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ପ୍ରମୁଖ ଶାସନ ସଚିବ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କାନପୁର ପଞ୍ଚାୟତ ହାଇ ସ୍କୁଲର ସ୍ମାର୍ଟ କ୍ଲାସ ଓ ପାଠାଗାର, ତୁମୁସିଙ୍ଗା ପଞ୍ଚାୟତର ଶ୍ରୀମୁଳାସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର, ଆଲୁଅଝରଣ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ ।

ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ପ୍ରମୁଖ ଶାସନ ସଚିବ ଢେଙ୍କାନାଳ ଆକାଂକ୍ଷା ଜିଲ୍ଲାରେ ଉନ୍ନୟନମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଷଦ ଆଲୋଚନା କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଉନ୍ନତିବିଧାନ, ଗର୍ଭବତୀମାନଙ୍କ ସ୍ୱାସ୍ଥ୍ୟରକ୍ଷା, ଶିଶୁମାନଙ୍କ ପୁଷ୍ଟିସାଧନ, ଶିକ୍ଷାର ଭିତ୍ତିଭୂମି ଓ ଗୁଣାତ୍ମକ ବିକାଶ, ପାନୀୟଜଳ ଯୋଗାଣ, ରାସ୍ତାଘାଟର ଉନ୍ନତିକରଣ, ଜଳସେଚନ ଓ କୃଷି ଉତ୍ପାଦନ ବୃଦ୍ଧି, ଦକ୍ଷତା ବିକାଶ, ବିଦ୍ୟାଳୟରେ ପିଲାମାନଙ୍କ ଅଧିକ ଉପସ୍ଥାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲାବାସୀ ଯେପରି ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁଫଳ ଯଥାଶୀଘ୍ର ପାଇପାରିବେ ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଆଜି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚୋପ୍ରା ସ୍ଥାନୀୟ ବି.ବି.ହାଇ ସ୍କୁଲ, ବୋରାପଦାସ୍ଥିତ ଅଙ୍ଗନବାଡି କେନ୍ଦ୍ର, ପନିପରିବା ମଣ୍ଡି ବୁଲି ଦେଖିବା ପରେ ସେ ଢେଙ୍କାନାଳସ୍ଥ ୟୁକୋ ବ୍ୟାଙ୍କ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମଙ୍ଗଳପୁରସ୍ଥିତ ଛତୁଆ କେନ୍ଦ୍ର, କାକୁଡିଭାଗରେ ହେଉଥିବା ମାଛ ଚାଷ କାଜୁଚାଷ, ରଥପଦାସ୍ଥ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର, ରସୋଳସ୍ଥିତ ଚିକିତ୍ସାଳୟ ଏବଂ ହାଇ ସ୍କୁଲ ଆଦି ପରିଦର୍ଶନ କରିଛନ୍ତି ।

ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଯୋଜନା ଉପ – ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।