ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୮/୦୨) : ସୁବର୍ଣ୍ଣପୁର ରେ ଆରମ୍ଭ ହୋଇଛି ଇଙ୍କଫେଷ୍ଟ ପୁସ୍ତକ ମେଳା l ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ପାଇଲା ପରି ଭଳିକି ଭଳି ପୁସ୍ତକ ଏହି ମେଳାରେ ଉପଲବ୍ଧ ରହିଛି ।
ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରରୁ ବିଭିନ୍ନ ପ୍ରକାଶନୀ ସଂସ୍ଥାର ପ୍ରାୟ ୫୦ ଟି ଷ୍ଟଲ ଲାଗିରହିଥିବା ବେଳେ ତା ସାଙ୍ଗକୁ ପାଠକ ପାଠିକା ମାନଙ୍କ ପାଇଁ ଏକ ପଢାଘରର ମଧ୍ୟ ସୁବିଧା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରତିଦିନ ସାଧାରଣ ଜ୍ଞାନର ପ୍ରତିଯୋଗିତା ମଧ୍ୟ କରାଯାଉଛି । ଦୀର୍ଘ ସାତଦିନଧରି ଚାଲୁଥିବା ଏହି ଉତ୍ସବରେ ପ୍ରତିଟି ସନ୍ଧ୍ୟା ରେ ସାମ୍ପ୍ରତିକ ସମୟର ସାମାଜିକ ସାଂସ୍କୃତିକ ସଙ୍ଘତିର ସମୀକ୍ଷା ସହିତ ଆୟୋଜିତ ହେଉଛି ସାରସ୍ୱତ ସାହିତ୍ୟ ଆଲୋଚନା ଚକ୍ର । ତେବେ ସୁବର୍ଣ୍ଣପୁର ସହରର ସ୍ଥାନିୟ ରୟାଲ ପଡିଆ ଠାରେ ଦୀର୍ଘ ସାତ ଦିନ ଧରି ଚାଲିବାକୁ ଥିବା ଇଙ୍କଫେଷ୍ଟ ପୁସ୍ତକମେଳାରେ ପାଠକ ପାଠିକାଙ୍କ ବେଶ ଭିଡ ଜମୁଛି । ଚଳିତ ବର୍ଷ ଇଙ୍କଫେଷ୍ଟ ଷଷ୍ଠ ବର୍ଷରେ ପଦାର୍ପଣ କରିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରରୁ ବିଭିନ୍ନ ପ୍ରକାଶନୀ ସଂସ୍ଥାର ପ୍ରାୟ ୫୦ ଟି ଷ୍ଟଲ ଲାଗିଛି ।
ଆଜିର ଅତ୍ୟାଧୁନିକ ଯୁଗରେ କମ୍ପ୍ୟୁଟର ମୋବାଇଲର ବିଶେଷ ବ୍ୟବହାର ରହିଥିବା ବେଳେ ବହିର ମଧ୍ୟ ବେଶ୍ ଚାହିଦା ରହିଛି । ଫଳରେ ପାଠକ ପାଠିକା ମାନଙ୍କୁ ପୁସ୍ତକପ୍ରତି ଆକୃଷ୍ଟକରିବା ତଥା ସେମାନଙ୍କ ଚାହିଦାକୁ ଆଖି ଆଗରେ ରଖି ଏହି ମେଳା ଆୟୋଜିତ କରାଯାଇଛି । ଏହି ପୁସ୍ତକ ମେଳାରେ କେବଳ ବହିର ଆସର ଜମିଛି ତାହା ନୁହେଁ ଏଠାରେ ବିଭିନ୍ନ ସାହିତ୍ୟ ଚର୍ଚ୍ଚା ସହିତ ସାମ୍ପ୍ରତିକ ସାମାଜିକ ପରିବର୍ତନକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେଉଛି । ଏହି ପୁସ୍ତକ ମେଳାରେ ବିଭିନ୍ନ ପୌରାଣିକ ପୁସ୍ତକ ଠାରୁ ଆରମ୍ଭ କରି ଆଧୁନିକର ପୁସ୍ତକ ଯାଏ ସବୁ ଏଠାରେ ଉପଲବ୍ଧ ରହିଛି ଯାହା ପିଲାଠୁ ଆରମ୍ଭକରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି l