ଟ୍ୟୁସନ୍ ଯାଉଥିବା ବେଳେ ଡ୍ରେନରେ ଭାସିଗଲେ ୧୫ ବର୍ଷର ଛାତ୍ର : ମିଳୁନି ପତ୍ତା

0
175

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୦୯) : ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ୟୁସନ୍ ଯାଉଥିବା ବେଳେ ଡ୍ରେନରେ ଭାସି ଯାଇଛନ୍ତି ୧୫ ବର୍ଷର ଛାତ୍ର । ପୋଲିସ, ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକେ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନାହିଁ ।

ଭୁବନେଶ୍ୱର ଶିରିପୁର ଶତାଦ୍ଧୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ ଆଜି ଦ୍ୱିପ୍ରହର ଦୁଇଟା ବେଳେ ଏଭଳି ଅଘଟଣା ଘଟିଛି । ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ଦୀ ନଗର ଟ୍ୟୁସନ୍ ଯାଉଥିବା ବେଳେ ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିର୍ମୟ ବେହେରା ଶତାବ୍ଦୀ ନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ପାଖରେ ଥିବା ଡ୍ରେନରେ ସେ ପଡ଼ି ଯାଇଥିଲେ । ଗଲା ୪ ଘଣ୍ଟା ଧରି ସେ ନିଖୋଜ ଅଛନ୍ତି । ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ । ତେବେ ଏତେ ବଡ଼ ଘଟଣା କିପରି ଘଟିଲା ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ମୁକୁଳା ଡ୍ରେନ୍ ଯୋଗୁଁ ୨୦୧୯ ରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ର ଭିଲ୍ଲା ଛକରେ ଘଟିଥିଲା ଅଘଟଣ । ଅସରାଏ ବର୍ଷାରେ ମୁକୁଳା ଡ୍ରେନରେ ଭାସି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ବିଏମ୍ସିର ଅବହେଳା କାରଣରୁ ସେତେବେଳେ ଏହି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ ।

କୌଣସି ପରିସ୍ଥିତିରେ ଡ୍ରେନ୍ ମୁକୁଳା ରହିପାରିବ ନାହିଁ । ସମସ୍ତ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ବାଧ୍ୟତାମୂଳକ । କିନ୍ତୁ ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡ୍ଲାଇନକୁ ବିଏମ୍ସି ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛି । ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣିଥରେ ପଦାରେ ପକାଇଛି ।