ପାଟଣାଗଡ଼ରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ବେଳେ ତିନି ଗଞ୍ଜେଇ ମାଫିଆ ସହ ମାରୁତି ଭ୍ୟାନ ଜବତ

0
246

ରିପୋର୍ଟ : ସନ୍ତୋଷ ନାୟକ
ବଲାଙ୍ଗୀର,ତା(୨୬/୦୯) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରୁ ଛତିଶଗଡ଼ ରାଜ୍ୟକୁ ଭାୟା ପଦ୍ମପୁର ଦେଇ ଯାଇଥିବା ରାସ୍ତା ଗଞ୍ଜେଇ ମାଫିଆଙ୍କ ପାଇଁ ନିରାପଦ ମାର୍ଗ ପାଲଟିଛି । ପ୍ରତିଦିନ ପୋଲିସ ପକ୍ଷରୁ ନାକା କରି ନିଶାଦ୍ରବ୍ୟ ଜବତ କରାଯାଉଛି । ଗିରଫ ନିଶା ମାଫିଆ ଜେଲ ଯାଇ ବି ଫେରିବା ପରେ ପୁଣି ସେହି ବ୍ୟବସାୟକୁ ଆପଣେଇ ନେଉଛନ୍ତି ।

ଶନିବାର ସେହିଭଳି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ସୂଚନା ପାଇ ବରଗଡ଼ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଅଲ ଓ ସହକର୍ମୀ ଝାକରପାଲି ଛକରେ ନାକା କରିଥିଲେ । ଏହି ସମୟରେ ଏକ ମାରୁତି ଭ୍ୟାନ୍‌ (ଓଡି ୦୨ଏଡବ୍ଲୁ-୨୯୯୩)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉପରେ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ନମ୍‌କିନ୍‌ ସାମଗ୍ରୀ ତଳେ ଥିବା ୨୯୬ କେଜି ଗଞ୍ଜେଇ ଜବତ କରିଥିଲେ । ଏହା ସହିତ ଭ୍ୟାନ୍‌କୁ ପାଇଲଟିଂ କରୁଥିବା ଏକ ବାଇକ୍‌ (ଓଡି ୨୬ବି-୭୯୩୨) ସହ ଭ୍ୟାନ୍‌ ଭିତରେ ଆଉ ଏକ ନମ୍ବର ପ୍ଲେଟ୍‌ (ସିଜି ୦୪ଏନ୍‌ଜେ-୪୯୭୬), ୩ଟି ମୋବାଇଲ୍‌, ନଗଦ ୬ ଶହ ଟଙ୍କା ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଗଞ୍ଜେଇ ପାଟଣାଗଡ଼ରୁ ଛତିଶଗଡ଼ ରାଜ୍ୟକୁ ଯାଉଥିବା ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଅତାବିରା ଥାନା ଦୁଲମପୁର ଗ୍ରାମର ମନୋଜ ତାଣ୍ଡି, ଲାଦରପାଲି ଗ୍ରାମର ବିକାଶ ବାଗ ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନଗୁଳର ରାଜେଶ ପାତ୍ର ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇ ହୋଇଥିବାରୁ ଜେଲ ରେ ବିଚାରଧୀନ ବନ୍ଦୀ ଭାବେ ରହିଛନ୍ତି ବୋଲି ସୂଚନା ମିଳିଛି ।