Friday, March 29, 2024

Top 5 This Week

Related Posts

ଓଡ଼ିଶା ବିଜେପି ପାଇଁ ବଡ଼ ହାନିକାରକ : ଅସହିଷ୍ଣୁତା !

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର,(୧୪/୦୭) : କେନ୍ଦ୍ର କ୍ୟାବିନେଟର ୮ଟି କମିଟି ପୁନଃଗଠିତ ହୋଇଛି । ଏଥିରୁ ଦୁଇଟି କମିଟିରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ଥାନ ପାଇଛନ୍ତି ।

ଅସହିଷ୍ଣୁତା: ଧର୍ମେନ୍ଦ୍ର ପ୍ରଧାନ ଅର୍ଥନୈତିକ ବ୍ୟାପାର କମିଟିରେ ସ୍ଥାନ ପାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ନିବେଶ ଏବଂ ଅଭିବୃଦ୍ଧି ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନିଜସ୍ୱ ବିଭାଗ ରୋଜଗାର ଏବଂ ଦକ୍ଷତା ବିକାଶ ବ୍ୟାପାର କମିଟିରେ ସ୍ଥାନ ପାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବୀ ମଧ୍ୟ ସେହି କମିଟିରେ ସ୍ଥାନ ପାଇଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୯ ସରକାର ଗଠନ ପରେ ମୋଦୀ ସରକାର ପୁଞ୍ଜି ବିନିଯୋଗ, ଅଭିବୃଦ୍ଧି ଏବଂ ନିଯୁକ୍ତି, ଦକ୍ଷତା ବିକାଶ ନାମରେ ଦୁଇଟି କମିଟି ଗଠନ କରିଥିଲେ । ପୁଞ୍ଜି ବିନିଯୋଗ, ଅଭିବୃଦ୍ଧି ବିଭାଗ କମିଟିର ଏକ ଗୁରୁଦାୟିତ୍ୱ ରହିଛି । ଯେଉଁ କମିଟିରେ ଅଶ୍ୱିନୀ ବୈଷ୍ଣବ ଅଛନ୍ତି ।

୧୦୦୦ କୋଟି କିମ୍ବା ତା’ଠାରୁ ଅଧିକ ପୁଞ୍ଜି ବିନିଯୋଗ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକ ଭିତ୍ତିଭୂମି, ଉତ୍ପାଦନ ପରି କ୍ଷେତ୍ର ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ କରୁଥିବା ପ୍ରମୁଖ ପ୍ରକଳ୍ପ ଗୁଡ଼ିକୁ ଚିହ୍ନଟ କରିବା ଏହି କମିଟିର କାର୍ଯ୍ୟ ରହିଛି ।

ଏହାସହ ସଂପୃକ୍ତ ମନ୍ତ୍ରଣାଳୟ ବା ବିଭାଗ ଗୁଡ଼ିକ ଦ୍ୱାରା ଆବଶ୍ୟକ ଅନୁମୋଦନ ଏବଂ କ୍ଲିୟରାନ୍ସ ପ୍ରଦାନ ପାଇଁ ସମୟ ସୀମା ନିର୍ଦ୍ଧାରଣ ଦାୟିତ୍ୱ ଏହି କମିଟି ହାତରେ ରହିଛି । ବଡ଼ କଥା ହେଲା ଅଶ୍ୱିନୀ ବୈଷ୍ଣବ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇ ଦୁଇ ଦୁଇଟି କମିଟିରେ ସ୍ଥାନ ପାଇଛନ୍ତି । ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ସେତିକି ଭରଷା ରଖିଛନ୍ତି । କିନ୍ତୁ, ଭରଷା ରଖୁନି ଓଡ଼ିଶା ବିଜେପି |

ମୋଦି ସିନା ଭରଷା ରଖି ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟିରେ ସ୍ଥାନ ଦେଇଛନ୍ତି, କିନ୍ତୁ ଓଡ଼ିଶା ବିଜେପି ଏଥିରେ ଅସହ୍ୟ ଥିବା ପରି ଅନୁଭବ ହେଉଛି । ଏହି ଅସହ୍ୟ ଭାବନା ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ପକ୍ଷରୁ ସ୍ପଷ୍ଟ ବାରି ହେଇଯାଉଛି ।

ଯେଉଁଦିନ ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଲା ପ୍ରଥମେ ମନ୍ତ୍ରୀମଣ୍ଡଳରେ ବୈଜୟନ୍ତ ପଣ୍ଡା କିମ୍ବା ଅପରାଜିତା ଷଡ଼ଙ୍ଗୀଙ୍କ ନାଁ’ ନ ଥାଇ ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁଙ୍କ ନାଁ’ ଦେଖି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଖୁବ୍ ଖୁସି ପ୍ରକଟ କଲେ । ଉଛୁଳି ପଡ଼ି ସୋସିଆଲ୍ ମିଡିଆରେ ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଲେ । କିନ୍ତୁ ଏ’ ଖୁସି ରାତି ଯାଏଁ ରହିଲାନି । ଶୁଣିଲା ବେଳକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳେଇ ଦିଆଯାଇଛି ।

ଅସହିଷ୍ଣୁତା: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀରୁ ଏବେ ସେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ । ତା’ ସହ ଅଶ୍ୱିନୀ ବୈଷ୍ଣବଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରଳାୟ ସମେତ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦିଆଗଲା । ଏହାପରେ ଅଶ୍ୱିନୀ ବୈଷ୍ଣବଙ୍କୁ ତାଙ୍କ ବିଭାଗ ପାଇଁ ଆଉ ଶୁଭେଚ୍ଛା ଜଣାଇବା ବନ୍ଦ ହୋଇଗଲା । କେବଳ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ନୂତନ ବିଭାଗ ଏମାନଙ୍କ ପାଇଁ ବଡ଼ ହୋଇଗଲା ? ୭ ତାରିଖ ମଧ୍ୟରାତ୍ରିରୁ ଓଡ଼ିଶା ବିଜେପିରେ ଥିବା ଧର୍ମେନ୍ଦ୍ର ଅନୁଗତଙ୍କ ପାଇଁ ପେଟ୍ରୋଲ, ଗ୍ୟାସ (ମହିଳାଙ୍କ ଆଖିରୁ ଲୁହ ପୋଛୁଥିବା ଉଜ୍ଜ୍ୱଳା) ବିଭାଗ ଗୁରୁତ୍ୱ କମିଯାଇ ଶିକ୍ଷା ବିଭାଗ ଦେଶର ମେରୁଦଣ୍ଡ ହୋଇଗଲା ।

ଭାରତୀୟ ଜୀବନଶୈଳୀର ମେରୁଦଣ୍ଡ କୁହାଯାଉଥିବା ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରାଳୟ ସମେତ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏମାନଙ୍କ ପାଇଁ ଛୋଟ ହୋଇଗଲା । ଏବେ ପୁଣି ସେହି ସମାନ ଘଟଣା । ଉଭୟ ମନ୍ତ୍ରୀ କ୍ୟାବିନେଟରେ ଦୁଇ ଦୁଇଟି କମିଟିରେ ସ୍ଥାନ ପାଇଥିବା ବେଳେ ଏମାନେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣ ଗାଉଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ରହିଥିବା କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ମୋଦି ରହିଛନ୍ତି କହି ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ବୋଲି କହୁଛନ୍ତି । ଯେତେବେଳେ କି ମୋଟ୍ ୮ଟି କ୍ୟାବିନେଟ କମିଟି ମଧ୍ୟରୁ ୬ଟି କମିଟିରେ ମୋଦି ରହିଛନ୍ତି ।

ଚାଟୁକାରୀ କରି ପଦପଦବୀ ଜାବୁଡ଼ି ଧରି ବସିଥିବା, କିଛି ଫାଇଦା ଆଶାରେ କିମ୍ବା ଟିକେଟ ଆଶାରେ ଥିବା ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ସ୍ୱାଗତ, ସମର୍ଥନ ଜଣାଇବା ପରିବର୍ତ୍ତେ ନିଜ ସ୍ୱାର୍ଥ ପାଇଁ କେବଳ ସେହି ଜଣେ ନେତାଙ୍କ ବଶୀଭୂତ ହୋଇ ରହିଛନ୍ତି । ଯେପରି ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ସୁବାସ ଚୌହାନ, ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀ ଆଦିଙ୍କ ପ୍ରତି ଏକ ଅସହିଷ୍ଣୁ ଭାବନା ପ୍ରକାଶ ପାଉଥିଲା ଅଶ୍ୱିନୀ ବୈଷ୍ଣବ କ୍ଷେତ୍ରରେ ମଧ୍ୟ ବୋଧେ ସମାନ କଥା ଆରମ୍ଭ ହୋଇଯାଇଛି ।

ଅସହିଷ୍ଣୁତା: ଏପରି ଭାବନା ରାଜ୍ୟ ବିଜେପିର ଧର୍ମେନ୍ଦ୍ରଙ୍କ ଅନୁଗତ କିଛି ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ତଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ି ଯାଉଛି। । ତେବେ, ଯେଉଁମାନେ କେବଳ ଖୋସାମତି କରି ପଦପଦବୀ କିମ୍ୱା କିଛି ଫାଇଦା ଆଶାରେ ସୀମିତ ଅଛନ୍ତି ତାଙ୍କ କଥା ଭିନ୍ନ । କିନ୍ତୁ ରାଜନୀତିରେ କିଛି ବଡ଼ ଆଶା ରଖୁଥିବା, ସମାଜରେ ନିଜର ମର୍ଯ୍ୟଦା ରଖିଥିବା କେହି ନେତାନେତ୍ରୀ ଏପରି ଖୋସାମତିଆ ଏକ ପାଖିଆ ପୋଷ୍ଟ କରିବା ପୂର୍ବରୁ ତାଙ୍କ ପ୍ରତି କେଉଁ ଧାରଣା ସୃଷ୍ଟି ହେବ ତାହା ସେମାନେ ଚିନ୍ତା କରିବା ଉଚିତ୍ ।

ଓଡ଼ିଶା ବିଜେପିରେ ରହିଥିବା ଏହି ଖୋସାମଦିଆଙ୍କ କଥା କ’ଣ ବା କୁହାଯାଇ ପାରେ ? ଏମାନେ ତ’ କୁହନ୍ତି ଓଡ଼ିଶାରେ ବିଜେପି ମାନେ ଧର୍ମେନ୍ଦ୍ର । ଏମାନେ କୁହନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କହୁଥିବା ଯେ କେହିକୁ କୁଆଡ଼େ ନିର୍ଦ୍ୱନ୍ଦରେ ବିଜେପି ବିରୋଧୀ ବୋଲି କୁହାଯିବ ।

ଏମାନଙ୍କ ପାଇଁ ବିଜେପି, ମୋଦି କିମ୍ବା ଶାହାଙ୍କ ବିରୋଧରେ କହିଲେ ଚଳିବ । କାରଣ ଏମାନେ ମୋଦି, ଶାହାଙ୍କୁ ଗାଳି କରି ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ ହା’ ଥୁ .. କରି ଛେପ ପକାଇ, ଏଣେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କଲେ ଏମାନଙ୍କୁ ବଡ଼ ଆନନ୍ଦ ଲାଗେ । ଏମାନେ ସେହି ଭିଡିଓରେ ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ପ୍ରଶଂସାତକ କଟିଂ କରି ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରନ୍ତି ।

ଅସହିଷ୍ଣୁତା: ଦଳ, ସଙ୍ଗଠନ, ବିଚାରଧାରାକୁ ପଛରେ ପକାଇ ଏମାନେ ବ୍ୟକ୍ତିବାଦ, ଗୋଷ୍ଠିବାଦ ପଛରେ ପଡ଼ିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାରୀ କରି ଏମାନେ ଯାହା କରୁଛନ୍ତି ତାହା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆଉ ଯଦି ଏସବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ହେଉଥାଏ, ତେବେ କଥା ଆହୁରୀ କ୍ଷତିକାରକ ।

Popular Articles