ଓଡ଼ିଶାରେ ଲୁଚିଛନ୍ତି ଜେ.ଏମ.ବି. ଆତଙ୍କବାଦୀ, ସତର୍କ ରହିବାକୁ କହିଲା କୋଲକାତା ଏସ.ଟି.ଏଫ୍.

0
209

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା,(୧୪/୦୭) : ପଡ଼ୋଶୀ ବାଂଲାଦେଶରୁ ଜମାତ-ଉଲ-ମୁଜାହିଦ୍ଦିନ(ଜେ.ଏମ.ବି)ର ୧୫ ଜଣ ଆତଙ୍କବାଦୀ ପଶ୍ଚିମବଙ୍ଗ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି ।

ନିକଟରେ କୋଲକାତା ପୁଲିସ ଗିରଫ କରିଥିବା ତିନି ଆତଙ୍କବାଦୀଙ୍କୁ ଜେରା କରିବା ପରେ ଏହି ସୂଚନା ମିଳିଛି । ପାଖାପାଖି ୧୦ ଜଣ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ କଶ୍ମୀରରେ ପ୍ରବେଶ କରି ଲୁଚି ରହିଥିବା ସୂଚନା ମିଳିଛି । ଏହି ଗ୍ରୁପ୍‌ର ୩ ଆତଙ୍କବାଦୀଙ୍କୁ ରବିବାର ଗିରଫ କରାଯାଇଥିବା ନେଇ କୋଲକାତାର ଏସ.ଟି.ଏଫ୍. ସୋମବାର ସୂଚନା ଦେଇଛି ।

ଜମାତ-ଉଲ-ମୁଜାହିଦ୍ଦିନର ମୋଟ୍ ୧୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ଥିଲେ । ଗିରଫ ସମସ୍ତ ଆତଙ୍କବାଦୀ ବାଂଲାଦେଶୀ ଅଟନ୍ତି । ସେମାନେ ରବିବାର କୋଲକାତାର ହରିଦେବପୁର ଏରିଆରୁ ଏସ.ଟି.ଏଫ. ଦ୍ୱାରା ଗିରଫ ହୋଇଥିଲେ । ତିନି ଆତଙ୍କବାଦୀଙ୍କୁ ଜେରା କରିବା ବେଳେ ଏସ.ଟି.ଏଫ. ଜାଣିବାକୁ ପାଇଛି ଯେ ଅବଶିଷ୍ଟ ଆତଙ୍କବାଦୀ ଓଡ଼ିଶା, ବିହାର ଓ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି ।

ପଶ୍ଚିମବଙ୍ଗରୁ ତିନି ଗିରଫ ହୋଇଥିବା ବେଳେ ସେମାନଙ୍କ ଆଉ ଦୁଇ ସହଯୋଗୀ ଶେଖ ସକିଲ ଏବଂ ସଲିମ ମୁନସି ଲୁଚି ରହିଥିବା ସୂଚନା ରହିଛି । ଏସ.ଟି.ଏଫ. ଏବେ ବିଭିନ୍ନ ସ୍ଥାନରେ ରେଡ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଜଣାଯାଇଛି । ଓଡ଼ିଶାର ଏସ.ଟି.ଏଫ୍. ଟିମ୍ ମଧ୍ୟ କୋଲକାତା ଏସ.ଟି.ଏଫ୍. ସହିତ ଏ ସଂକ୍ରାନ୍ତରେ ବରାବର ଯୋଗାଯୋଗ ରେ ଅଛି ।

୨୦୧୬ରେ ଢ଼ାକାର ଏକ କାଫେରେ ଜେ.ଏମ.ବି. ଆତଙ୍କୀ ଆକ୍ରମଣ କରିଥିଲେ । ଏଥିରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ୨୦୧୯ରେ ଏନ.ଆଇ.ଏ. କହିଥିଲା ଜେ.ଏମ.ବି. ଭାରତରେ ଏହାର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି ।

ଗିରଫ ହୋଇଥିବା ତିନି ଆତଙ୍କବାଦୀକୁ ସକିଲ ଜାଲ୍ ଆଧାର କାର୍ଡ ତିଆରି କରିବାରେ ସହଯୋଗ କରିଛି । ସକିଲ ମଧ୍ୟ ଜେ.ଏମ.ବି.ର ସଦସ୍ୟ ବୋଲି ଜଣାପଡ଼ିଛି । ଏହି ଆଧାର କାର୍ଡକୁ ପରିଚୟ ପତ୍ର ଭାବରେ ଦେଖାଇ ହରିଦେବପୁର ଅଞ୍ଚଳରେ ସେମାନେ ଘର ଭଡ଼ା ନେବାକୁ ଯୋଜନା କରିଥିବା ସୂଚନା ରହିଛି । ଆତଙ୍କବାଦୀ ସଂଗଠନ ଜେ.ଏମ.ବି. ର ଶୀର୍ଷ ନେତା ଅଲ ଅମୀନଙ୍କ ନିର୍ଦ୍ଦେଶରେ ଏହି ଆତଙ୍କବାଦୀ କାମ କରୁଥିବା ଜେରା ବେଳେ କୋଲକାତା ଏସ.ଟି.ଏଫ୍. ଜାଣିବାକୁ ପାଇଛି ।

ଗିରଫ ତିନି ଆତଙ୍କବାଦୀ ହେଲେ ନଜିଉର ରେହମାନ, ରବିଉଲ ଇସଲାମ ଏବଂ ସବିର । ନିଜ ଗୁଜରାଣ ମେଣ୍ଟାଇବା ପାଇଁ ସେମାନେ ଫଳ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିଲେ ବୋଲି ଏସ.ଟି.ଏଫ. ଆଗରେ କହିଛନ୍ତି । ଗିରଫ ହୋଇଥିବା ତିନି ଆତଙ୍କବାଦୀଙ୍କ ବାବଦରେ ଅଧିକ ସୂଚନା ପାଇବା ପାଇଁ କୋଲକାତା ଏସ.ଟି.ଏଫ. ବାଂଲାଦେଶ ପୁଲିସ ସହ ଯୋଗାଯୋଗରେ ଥିବା ସୂଚନା ରହିଛି । ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁ ଘରେ ଏହି ତିନି ଆତଙ୍କବାଦୀ ଭଡ଼ା ନେଇଥିଲେ ସେହି ଘର ମାଲିକଙ୍କୁ ମଧ୍ୟ ଜେରା କରାଯାଉଛି ।

ସେହିପରି ଏନ.ଆଇ.ଏ. ମଧ୍ୟ ଗିରଫ ତିନି ଆତଙ୍କବାଦୀଙ୍କ ବାବଦରେ ଖବର ନେବା ଆରମ୍ଭ କରିଛି । ଜଣେ ଏନ.ଆଇ.ଏ. ଅଧିକାରୀ କହିଛନ୍ତି ଯେ, ଗିରଫ ଆତଙ୍କବାଦୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ସହିତ ସେମାନଙ୍କ ସହ ଆଉ କିଏ କିଏ ଜଡିତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ତଦନ୍ତ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ରହିଥିବା ସେ କହିଛନ୍ତି । ଏହି ତିନି ସନ୍ଦିଗ୍ଧ ଆତଙ୍କବାଦୀ ୧୪ ଦିନିଆ ପୁଲିସ ହେପାଜତରେ ରହିଛନ୍ତି ।

ଏହି ଆତଙ୍କବାଦୀଙ୍କ ପାଖରୁ ବିସ୍ଫୋରକ ସାମଗ୍ରୀ ସହିତ ଜେ.ଏମ.ବି. ର ଟପ୍ ଆତଙ୍କୀଙ୍କ ନାଁ ଜବତ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରୁ ଅନେକ ଜେ.ଏମ.ବି. ଅପରେଟରଙ୍କୁ ଗିରଫ କରାଯାଇଛି ।