ଲୋକନାଥ ରଣା ନିଖୋଜ ମାମଲା – ସତହେଲା ଆଶଙ୍କା, ଭାଇ ହେଲା ଭଗାରୀ

0
326

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୦/୦୯) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ନିଖୋଜ ମାମଲାର ଅନ୍ତ ହୋଇଛି । ଲୋକନାଥଙ୍କୁ ହତ୍ୟା କରିଥିବା ନେଇ ପୁଲିସ ସ୍ପଷ୍ଟ ହେବାପରେ ସାନ ଭାଇ ଡୋଳାମଣି ରଣା(୨୫) ଓ ସହଯୋଗୀ ଲଳିତ ମହାକୁଡ (୨୪)ଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଲୋକନାଥ ରଣା ଗତ ୧୨ ତାରିଖରୁ ନିଖୋଜ ଥିବା ପିତା ତ୍ରିଲୋଚନ ରଣା ୨୦ ତାରିଖ ଦିନ ଘଣ୍ଟାପଡା ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ବେଳେ କୌଣସି ସୂତ୍ରରୁ ହତ୍ୟା ହୋଇଥିବା ସଂପର୍କରେ ଖବର ପାଇ ଲୋକନାଥ ରଣାଙ୍କ ସାନ ଭାଇ ଡୋଳାମଣୀ ରଣାଙ୍କୁ ସନ୍ଦେହରେ ଫାଣ୍ତିକୁ ଆଣି ପଚରା ଉଚୁରା କରିଥିଲା । ମିଳିଥିବା ସୂଚନା ଅନୁଯାୟୀ ୧୨ ତାରିଖ ଦିନ ଦୁଇଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଡୋଳାମଣୀ ଏକ ଲୁହାରଡ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲା । ପରେ ଭାଇର ମୃତଦେହକୁ ସହଯୋଗୀ ଗୁଞ୍ଜେରମାଲ ଗ୍ରାମର ଲଳିତ ମହାକୁଡଙ୍କ ସହ ମିଶି ଏକ ବାଇକରେ ଲଦି ତେଲନଦୀରେ ପକାଇଥିଲେ ।

ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ ସହଯୋଗୀ ଲଳିତ ଲୋକନାଥଙ୍କ ଡ୍ରାଇଭର ଭାବରେ କାମ କରୁଥିଲା । ପ୍ରାପ୍ତ ସୂଚନାମତେ ତ୍ରିଲୋଚନଙ୍କ ପରିବାର ସମସ୍ତ ସଦସ୍ଯ ଏକତ୍ର ରହୁଥିବା ବେଳେ ମଝିଆ ପୁଅ ଲୋକନାଥ ଅନ୍ୟତ୍ର ରହୁଥିଲା । ଟ୍ରାକ୍ଟର ଆଣି ଚାଷବାସ କରି ଭଲରେ ରହୁଥିଲା । କିନ୍ତୁ ପବିତ୍ର ନବାହ୍ନପର୍ବ ଦିନ ପରିବାରର ସମସ୍ତ ସଦସ୍ୟ ମିଶି ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ ବାସିଦିନ ଦୁଇ ଭାଇଙ୍କ ମଧ୍ୟରେ ବଚସା ହେଇଥିଲା ଫଳରେ ଡୋଳାମଣି ରଣା ନିଜେ ଭାଇଙ୍କୁ ହତ୍ୟା କରିଥିବା ପୋଲିସକୁ ତଦନ୍ତ ବେଳେ କହିଥିଲା । ଡୋଳାମଣୀର ବୟାନ ଆଧାରରେ ବୁଧବାର ବୌଦ୍ଧ ଏସଡିପିଓଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଏବଂ କଣ୍ଟାମାଳ ଓ ଘଣ୍ଟାପଡା ପୋଲିସ ନିର୍ଦ୍ଧାରିତ ସ୍ଥାନକୁ ଯାଇ ପାୱାରବୋର୍ଟ ସାହାଯ୍ୟରେ ଅନୁସନ୍ଧାନ ଚଲାଇଥିଲେ ମଧ୍ୟ ମୃତଦେହର କୌଣସି ସୁରାକ ପାଇପାରି ନ ଥିଲେ ।

ଘଟଣା ବିଷୟରେ ସ୍ପଷ୍ଟ ହେବାପରେ ହତ୍ୟାକାରୀ ଡୋଲାମଣୀ ଏବଂ ସହଯୋଗୀ ଲଳିତକୁ କେସ ନଂ.୧୨୩/୨୧ ରେ ମାମଲା ରୁଜୁକରି କୋର୍ଡ ଚାଲାଣ କବାଯାଇଥିବା ଘଣ୍ଟାପଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମଲିକ ସୂଚନା ଦେଇଛନ୍ତି ।