ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ ହେଲେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରର କମାଣ୍ଡିଂ ଇନ୍ ଚିଫ୍

0
166

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୩/୧୦) : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ପାଇଥିବା ବେଳେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ପଟ୍ଟନାୟକ ।

କାରଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ୍ ପାଇଥିଲେ । ଟାଇଗର ହିଲ୍ ରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ପ୍ରଥମ ଥର ପାଇଁ ରାତିରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ୨୦୨୦ରେ ଓଡ଼ିଆ ବାୟୁସେନା ଅଧିକାରୀ ଏୟାର ମାର୍ଶାଲ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା ।

ଫାଇଟର ଜେଟ୍ ମିରାଜ୍ ର ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ରହିଛି । ସେହିଭଳି ମିଗ୍-୨୧ ସହିତ ବିଭିନ୍ନ ପ୍ରକାର ଲଢ଼ୁଆ ବିମାନ ଉଡ଼ାଇବାରେ ସେ ମାହିର । ତାଙ୍କ ପାଖରେ ୨୫ଶହ ଘଣ୍ଟାର ଉଡ଼ାଣ ଭରିବାର ଅଭିଜ୍ଞତା ରହିଛି ।

ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା । ସେ ଏଠାରେ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏମ୍ ସ୍କୁଲ୍ ରେ ପାଠ ପଢ଼ିଥିଲେ । ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ । ଦିଲୀପ ତାଙ୍କ କ୍ୟାରିୟରରେ ଭାରତୀୟ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି । ଫ୍ରଣ୍ଟଲାଇନ ଫାଇଟରକୁ କମାଣ୍ଡିଂ କରିବାରେ ସେ ମାହିର ମଧ୍ୟ । ସେହିପରି ଏୟାର ଭାଇସ ମାର୍ଶଲ ପୂର୍ବରୁ ସେ ବାୟୁ ସେନାରେ ଅନେକ ପଦପଦବୀରେ କାମ କରିଛନ୍ତି । ଏଥିସହିତ ସେ ଏୟାର ୱାର୍-ଫେୟାର ମହାବିଦ୍ୟାଳୟର କମାଣ୍ଡାଣ୍ଟ ମଧ୍ୟ ଥିଲେ ।