ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୩/୦୯) : ଘରବାଡ଼ି ପଟ୍ଟା କରିବାକୁ ମାଗିଲେ ୧୦ ହଜାର ଟଙ୍କା । ୧୦ ହଜାର ନ ହେଲେ କାମ ହେବନି ବୋଲି ବି ରୋକଠୋକ ଶୁଣାଇଦେଲେ ।
ମାତ୍ର ବହୁ ମୁଲଚାଲ ପରେ ଶେଷରେ ୫ ହଜାରରେ କଥା ଛିଣ୍ଡିଲା । ଆଉ ଆଜି ଏହି ୫ ହଜାର ଟଙ୍କା ନେଉଥିବା ବେଳେ ଜଣେ ରାଜସ୍ୱ ନିରୀକ୍ଷକ(RI) ଓ ଆସିଷ୍ଟାଷ୍ଟ ରାଜସ୍ୱ ନିରୀକ୍ଷକ (ARI)ଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ଏପରି ଏକ ଘଟଣା ଆଜି ସକାଳୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଘଟିଛି। ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କର୍ମଚାରୀଦ୍ୱୟ ହେଲେ ଜିଲ୍ଲା ସାନଖେମୁଣ୍ଡି ତହସିଲ ପୋଡ଼ାମାରିର RI ଆଦିତ୍ୟ କୁମାର ସେନାପତି ଏବଂ ARI ଟିଟୁ ସେଠି । ପୋଡ଼ାମାରି ଗ୍ରାମର ବାଳକୃଷ୍ଣ ପଣ୍ଡା ନିଜ ଘରବାଡ଼ି ପଟ୍ଟା ପାଇଁ ପୋଡ଼ାମାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠି ତାଙ୍କୁ କହିଥିଲେ ।
ମାତ୍ର ଶେଷରେ ବାଳକୃଷ୍ଣ ୫ ହଜାର ଟଙ୍କା ଦେବା ପାଇଁ ରାଜି ହେଇଥିଲେ । ଏନେଇ ସେ ଭିଜିଲାନ୍ସକୁ ଖବର ଦେଇଥିଲେ । ଯୋଜନା ମୁତାବକ ଆଜି ସକାଳେ ବାଳକୃଷ୍ଣ ଲାଞ୍ଚ ଟଙ୍କା ଦେବା ନିମନ୍ତେ ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠିଙ୍କୁ ପୋଡ଼ାମାରିର ବସଷ୍ଟାଣ୍ଡ ନିକଟକୁ ଡକାଇଥିଲେ। ସେଠାରେ ଉଭୟ ପହଞ୍ଚିବା ପରେ ବାଳକୃଷ୍ଣ ସେମାନଙ୍କୁ ଟଙ୍କା ଦେଇଥିଲେ । ଏହାପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ କାବୁ କରି ନେଇଛନ୍ତି । ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ନେଇ ଅଧିକ ପଚରାଉଚରା କରାଯାଉଛି ।