ଆଦିବାସୀ ସମନ୍ୱୟ ସମିତି ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

0
247

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ,ବୌଦ୍ଧ,(୦୬/୧୦) : ସଭାପତି ସାମନ୍ତ ମାଝୀଙ୍କ ଆହ୍ୱାନ କ୍ରମେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ପଡିଆରେ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଳ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି ସକାଳୁ ଆଦିବାସୀମାନେ ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ ଆଦିବାସୀ ବାଦ୍ୟ, ନାଚ, ଗୀତ ମାଧ୍ୟମରେ ଗ୍ରାମ ପରିକ୍ରମା ପୂର୍ବକ ଆଦିବାସୀ ପଡିଆରେ ପହଞ୍ଚି ନିଜର ଇଷ୍ଟଦେବୀ ଆଦିମାତା ଆଦିଶକ୍ତିଙ୍କୁ ପୂଜାର୍ଚନା କରିଥିଲେ । ଅପରାହ୍ନରେ ଆଦିବାସୀ ସମନ୍ୱୟ ସମିତି ର ସଭାପତି ସାମନ୍ତ ମାଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

କଣ୍ଟାମାଳ ବ୍ଲକ ଆଦିବାସୀ ସଭାପତି ଡମ୍ବରୁଧର କଅଁର, ଧର୍ମୁ କଅଁର, ଦାମୋଦର ଭୋଇ, ସୁଶିଳ ଝାଙ୍କର, ବିବଚ୍ଛ ଭୋଇ, ଘନଶ୍ୟାମ ବୁଡାଏକ, ରାଜେନ୍ଦ୍ର ଭୋଇ, ବୁଲୁ ରଣା, ଜୟକିଶୋର ରଣା, ସାମ୍ବାଦିକ ପ୍ରଭାତ ସାହୁ, ବଂଶୀଧର ମାଝୀ ପ୍ରମୁଖ ଅତିଥି ଯୋଗଦେଇ ଆଦିବାସୀ ମାନେ ସୁଶିକ୍ଷିତ, ସଂଗଠିତ, ସଚେତକ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳରେ ଦେଖା ଦେଇଥିବା ରାସ୍ତା, ଜଳ, ଜଙ୍ଗଲ ଓ ଶିକ୍ଷା ଆଦି ବିଭିନ୍ନ ସମସ୍ୟା ବିଷୟରେ ଆଦିବାସୀ ସମାଜ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରାଯିବ ବୋଲି ମତ ରଖିଥିଲେ ।

ସଂପାଦକ ପ୍ରଶାନ୍ତ ମାଝୀ ମଞ୍ଚ ପରିଚାଳନା କରିଥିଲେ । ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେସନରେ ଆଦିବାସୀ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଶିଶୁ କଳାକାର ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ୫୦୦ ଆଦିବାସୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।