ଡିଆରଡିଓ ତଥ୍ୟ ଲିକ୍ ମାମଲା : ପାକିସ୍ତାନରୁ ଅପରେଟ୍ ହେଉଥିଲା ୪ ଟି ଫେସବୁକ୍ ଆକାଉଣ୍ଟ

0
143

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୭/୧୦) : ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡିଆରଡିଓ ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି । ରହସ୍ୟମୟୀଙ୍କ ଫେସବୁକ୍ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡିଛି । ରହସ୍ୟମୟୀଙ୍କ ୪ଟି ଫେସବୁକ୍ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍ ହେଉଥିଲା ।

୪ ଟିରୁ ୩ ଟି ଇସଲାମାବାଦ ଓ ଗାଟିଏ ରାୱଲପିଣ୍ଡିରୁ ଅପରେଟ୍ ହେଉଥିଲା । ତେବେ ପ୍ରକ୍ସି ଆଇପି ଜରିଆରେ ରହସ୍ୟମୟୀ ଲୋକେସନ ଲୁଚାଉଥିଲେ । ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲା । ଏହି ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ବୁଧବାର ସୂଚନା ଦେଇଛନ୍ତି ।

ଏହାସହ ରହସ୍ୟମୟୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମିଳିଛି । ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡିଛି ।ରହସ୍ୟମୟୀଙ୍କର ଥିବା ୭ ଟି ଫେସବୁକ୍ ଆକାଉଣ୍ଟରୁ କିଛି ଆକାଉଣ୍ଟ ଆକ୍ଟିଭ୍ ରହିଛି ଓ ଏହି ଆକାଉଣ୍ଟରୁ ସେ ଏବେ ବି ଚାଟିଂ ଜାରି ରଖିଛନ୍ତି । କିଛି ଲୋକଙ୍କ ସହ ରହସ୍ୟମୟୀ ଚାଟିଂ କରୁଥିବା ନଜରକୁ ଆସିଛି ବୋଲି ଏଡିଜି ସୂଚନା ଦେଇଛନ୍ତି । ଏପିରକି ଯୁବତୀ ଜଣଙ୍କ ଆମେରିକା, ଜର୍ମୀନୀର ଫେକ୍ ଆଇପି ଆଡ୍ରେସ୍ ବ୍ୟବହାର କରୁଥିଲେ ।

ତେବେ ଘଟଣାରେ ଅଧିକ ତଥ୍ୟ ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଏମେରଜେନ୍ସି ରେସ୍ପନ୍ସ ମାଗିଛି କ୍ରାଇମବ୍ରାଞ୍ଚ । ତଥ୍ୟ ଆସିବା ପରେ ତର୍ଜମା କରାଯିବ । ସେହିପରି ଯୁବତୀ ଜଣକ ପାକିସ୍ତାନରେ ରହି ସେଠାରୁ ଚାଟ କରୁଥିବାର ମଧ୍ୟ କିଛି ପ୍ରମାଣ ମିଳିଛି । ଡିଲିଟ୍ ହୋଇଥିବା କିଛି ଚାଟ ହିଷ୍ଟ୍ରିକୁ ରିକଭରି କରାଯାଇଛି । ସେଥିରେ ଡିଆରଡିଓର କିଛି ତଥ୍ୟ ସେୟାର କରାଯାଇଛି । ତେବେ ରହସ୍ୟମୟୀ ଯୁବତୀ ଜଣଙ୍କ ବାଲେଶ୍ୱରର ଅନ୍ୟ ଯୁବକଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଯୁବତୀ ଜଣକ ଡିଆରଡିଓର ଅନ୍ୟ କେତେକ ଯୁବକଙ୍କ ସହ ଯୋଗାଯୋଗରେ ରହିଛନ୍ତି । ତେବେ ଆବଶ୍ୟକ ପଡିଲେ ଅଭିଯୁକ୍ତମାନଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସୂଚନାଥାଉକି, ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଚାନ୍ଦିପୁର ଆଇଟିଆରର ୪ ଜଣ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ବାଲେଶ୍ୱର ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପୋଲିସ ସେପ୍ଟେମ୍ୱର ୧୪ ତାରିଖ ବିଳମ୍ୱିତ ରାତିରେ ଗିରଫ କରିଥିଲା । ଏହି ସମ୍ୱେଦନଶୀଳ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍ ନେବା ପରେ ୧୮ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ।

ଗିରଫ ସମୟରେ ଅଭିଯୁକ୍ତ ମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ, ଲାପଟପ୍, ହ୍ୱାଟସ୍ ଆପ୍ ଚାଟିଂ ଆଧାରରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟପ୍ରମାଣ ଲାଗିଥିଲା । ଏମିତିକି ଅଭିଯୁକ୍ତମାନଙ୍କୁ ହନିଟ୍ରାପ୍ ରେ ଫସାଇଥିବା ପାକିସ୍ତାନୀ ମହିଳାଙ୍କ ଫଟୋ, ମୋବାଇଲ୍ ନମ୍ୱର, ବ୍ୟାଙ୍କ୍ ଆକାଉଣ୍ଟର ସୁରାକ୍ ପାଇଥିଲା କ୍ରାଇମବ୍ରାଞ୍ଚ ।