ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ଫୈଜ ହମୀଦଙ୍କ ବଦଳି !

0
158

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାକିସ୍ତାନ,ଇସଲାମାବାଦ,(୦୭/୧୦) : ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ଫୈଜ ହମୀଦଙ୍କ ବଦଳି ! ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପାକିସ୍ତାନ ଆର୍ମି ହଠାତ୍‌ ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇ ର ମୁଖ୍ୟଙ୍କ ବଦଳି କରିଛି । ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ବଦଳି କରାଯାଇ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି ।

ତେବେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ର ମୁଖ୍ୟ ଭାବେ ଏ ଯାଏଁ କାହାର ନାଁ ଘୋଷଣା କରାଯାଇନି । କାହିଁକି ପାକିସ୍ତାନ ଆର୍ମି ଏପରି ପଦକ୍ଷେପ ନେଲା ସେ କଥା ମଧ୍ୟ ଜଣାପଡ଼ିନି । ୨୦୧୯ ମସିହା ଜୁନ୍ ୧୬ ରେ ହମୀଦ ଗୁଇନ୍ଦା ସଂସ୍ଥା ଆଇଏସଆଇ ର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଆଇଏସ୍‌ଆଇ ରେ କାମ କରୁଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା ।

ହମୀଦଙ୍କୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ବାଜୱାଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ । ପାକିସ୍ତାନ ୨୦୧୯ରେ ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ହମୀଦ ଆଇଏସ୍‌ଆଇର ଦାୟିତ୍ୱ ନେଇଥିଲେ । ସେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ଉପରେ ନଜର ରଖିଥିଲେ ।

କୁହାଯାଉଛି ତାଲିବାନ ଆଫଗାନକୁ ଦଖଲ କରିବାରେ ହମୀଦ ସହଯୋଗ କରିଛନ୍ତି । ଏପରି କି ତାଲିବାନ ସରକାର ଗଠନ କରୁଥିବା ବେଳେ କାବୁଲରେ ହମୀଦ ମଧ୍ୟ ଉପସ୍ଥିତ ରହିଥିଲେ । ସେପ୍ଟେମ୍ବର ମାସରେ ସେ କାବୁଲ ଗସ୍ତ କରିଥିଲେ । ଏହି ସମୟରେ ତାଲିବାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ “ଆଫଗାନିସ୍ତାନୀ ସବୁ କିଛି ଖୁବଶୀଘ୍ର ଠିକ ହୋଇଯିବ । କାହା ମଧ୍ୟରେ କୌଣସି ବିବାଦ ନାହିଁ ।”

ଏବେ କିନ୍ତୁ ଆଇଏସ୍‌ଆଇର ମୁଖ୍ୟ ପଦରୁ ତାଙ୍କର ବଦଳି ହୋଇଯାଇଛି । ପାକ୍‌ ଆର୍ମି ବୁଧବାର ହମୀଦଙ୍କ ସହ ଆଉ ଦୁଇ ବରିଷ୍ଠ ପଦବୀ ପାଇଁ ନାଁ ଘୋଷଣା କରିଛି । ନିର୍ଦ୍ଦେଶନାମା ଅନୁଯାୟୀ, ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଆମୀର ଗୁଜରାନୱାଲା କ୍ରପ୍ସ କମାଣ୍ଡର ଓ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର ଆର୍ମିର କ୍ୱାର୍ଟର ମାଷ୍ଟର ଜେନେରାଲ ଭାବେ ଦାୟିତ୍ୱ ପାଇଛନ୍ତି ।