ଏଲ.ଏ.ସି. ବିବାଦ ପ୍ରସଙ୍ଗରେ ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କଲେ ଜୟଶଙ୍କର

0
184

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୫/୦୭) : ଭାରତ ଓ ଚାଇନା ମଧ୍ୟରେ ସୀମାରେ ତିକ୍ତତା ଲାଗି ରହିଥିବା ବେଳେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପର ସହ ବୈଠକ କରିଛନ୍ତି । ଏଲ.ଏ.ସି. ବିବାଦ ପ୍ରସଙ୍ଗରେ ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କଲେ ଜୟଶଙ୍କର |

ଉଭୟ ଏହି ବୈଠକରେ ସମୟରେ ଏଲ.ଏ.ସି. ବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସ.ସି.ଓ.) ବୈଠକ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି ।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଏଲ.ଏ.ସି. ରେ ସୃଷ୍ଟି ହୋଇଥିବା ଉତ୍ତେଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ନେଇ ଏସ. ଜୟଶଙ୍କର ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ବୈଠକରେ ଉଭୟ ଦେଶ ଖୁବଶୀଘ୍ର ବରିଷ୍ଠ ସାମରିକ କମାଣ୍ଡରଙ୍କୁ ନେଇ ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବେ ବୋଲି ରାଜି ହୋଇଛନ୍ତି । ସୀମାନ୍ତ ଅଞ୍ଚଳରେ ଶାନ୍ତି ସ୍ଥାପନ ନିହାତି ଜରୁରୀ ବୋଲି ଜୟଶଙ୍କର ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗଙ୍କୁ ମଧ୍ୟ ରୋକଠୋକ କହିଛନ୍ତି ।

ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ.ଏ.ସି.) ସମ୍ପର୍କରେ ହୋଇଥିବା ଆଲୋଚନା ସମ୍ପର୍କରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, “ଦୁଶାନବେ ଏସ.ସି.ଓ. ବୈଠକର ସାଇଡଲାଇନରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଏକ ଘଣ୍ଟାର ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି । ୱେଷ୍ଟର୍ଣ୍ଣ ଅଞ୍ଚଳର ଏଲ.ଏ.ସି. ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ହିଁ ବୈଠକର ମୂଳ ଫୋକସ ରହିଥିଲା । ସୀମାର ସ୍ଥିତାବସ୍ଥାକୁ ଏକପାଖିଆ ଭାବେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ” ।

ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ଟ୍ୱିଟ କରିଛନ୍ତି । ମହାମାରୀ କରୋନା ଯୋଗୁ ଉଭୟ ମାସ୍କ ପିନ୍ଧିଥିବା ବେଳେ ହାତ ବଦଳରେ ବାହୁ ମିଳାଉଥିବା ଦୃଶ୍ୟ ଏଥିରେ ରହିଛି ।