କରୋନା ନିୟମ କଡ଼ାକଡି କରିବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ

0
161

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୫/୦୭) : ଦେଶରେ କୋଭିଡର ଦ୍ୱିତୀୟ ଲହର ଦୁର୍ବଳ ହୋଇଛି । କୋଭିଡର ଦ୍ୱିତୀୟ ଲହର ଦୁର୍ବଳ ହୋଇଥିବାରୁ ଅନେକ ସ୍ଥାନରେ କରୋନା ନିୟମରେ କୋହଳ କରାଯାଇଛି ଯାହାଦ୍ୱାରା ଏହାର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି । ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି ।

କରୋନା ନିୟମ: ଗହଳି ବଢ଼ିବା କାରଣରୁ କିଛି ରାଜ୍ୟରେ କରୋନାର ବଂଶବୃଦ୍ଧି ହାର ବଢ଼ିଛି । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ହେବା ଫଳରେ କରୋନାର ବଂଶବୃଦ୍ଧି ହାର ବଢ଼ିଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ।

ମୁଖ୍ୟତଃ ପବ୍ଲିକ୍ ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଏହା ଦେଖିବାକୁ ମିଳୁଛି  ଫଳରେ କିଛି ରାଜ୍ୟରେ କରୋନାର ବଂଶବୃଦ୍ଧି ହାର ବଢ଼ିବା ଚିନ୍ତାଜନକ ବିଷୟ । ଏହା ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ ।

ତେଣୁ ଦୋକାନ, ମଲ୍, ମାର୍କେଟ୍, ସାପ୍ତାହିକ ହାଟ, ମଣ୍ଡି, ରେସ୍ତୋରାଁ ଓ ରେଳ ଷ୍ଟେସନ୍ ସହ ଭିଡ଼ ଜମୁଥିବା ସମସ୍ତ ସ୍ଥାନରେ କୋଭିଡ୍ ଗାଇଡ୍ଲାଇନ କଡ଼ାକଡ଼ି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏପରିକି ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ଯେଉଁ ଅଧିକାରୀ ଦାୟିତ୍ୱରେ ଥିବେ ତାଙ୍କୁ ବ୍ୟକ୍ତିଗତ ଭାବେ ଏଥିପାଇଁ ଦାୟୀ କରାଯିବାକୁ ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର, କେରଳ ଆଦି ରାଜ୍ୟରେ ପୁଣିଥରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କରୋନାର ତୃତୀୟ ଲହର ଆସିବ ବୋଲି ସରକାରୀ କୋଭିଡ୍ ପ୍ୟାନେଲ ବୋର୍ଡ ଚେତାଇ ସାରିଛି । ତେଣୁ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇ ସମ୍ଭାବ୍ୟ ତୃତୀୟ ଲହରକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାରେ ଆଂଶିକ କୋହଳ ନିୟମ ଶେଷ ହେଉଛି । ଦୁଇ ମାସ ହେବ ସାଧାରଣ ପରିବହନ ସେବା ଏକ ପ୍ରକାର ବନ୍ଦ ରହିଛି । କେବଳ ଏ ଶ୍ରେଣୀରେ ଥିବା ଜିଲ୍ଲା ଗୁଡିକରେ ବସ୍ ସେବା ଆରମ୍ଭ ହୋଇଛି । ଯେଉଁ ଜିଲ୍ଲାରେ କୋଭିଡର ପଜିଟିଭ ହାର ୫ ପ୍ରତିଶତ ତଳେ ଥିଲା ସେହି ଜିଲ୍ଲା ଏ ଶ୍ରେଣୀରେ ରହିଛି, ବାକି ସବୁ ଜିଲ୍ଲା ବି ଶ୍ରେଣୀରେ ରହିଛି ।

ମୋଟାମୋଟି ଭାବରେ ସମସ୍ତ ଜିଲ୍ଲାକୁ ବସ୍ ସେବା ଉପରେ ରୋକ୍ ଲଗାଯାଇଛି । ତେଣୁ କେନ୍ଦ୍ରର ଚିଠି ପାଇବା ପରେ ଆଜି ସରକାର ଆଗାମୀ ଦିନର କୋଭିଡ ନିୟମ ବାବଦରେ ଘୋଷଣା କରିବା ବେଳେ କିଭଳି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି ।