ଆସିପାରେ କୋଭିଡ କଟକଣା ନେଇ ନୂଆ ନିୟମ-ଲାଗିଥିବା ଲକଡାଉନ୍ ଅବଧି ସମାପ୍ତ ହେବାକୁ ଯାଉଛି

0
154

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୫/୦୭) : ଆସନ୍ତାକାଲି ସକାଳ ୬ଟାରେ ରାଜ୍ୟରେ ଲାଗିଥିବା ଲକଡାଉନ୍ ଅବଧି ସମାପ୍ତ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଅପରାହ୍ନ ୨ଟା୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ।

ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ ଆଜି ହୋଇପାରେ ଘୋଷଣା । ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ୫ ପ୍ରତିଶତ କମ୍‌ ପଜିଟିଭିଟି ରହୁଥିବା ଆଉ କିଛି ଜିଲ୍ଲାକୁ କାଟାଗୋରୀ ‘ଏ’ କୁ ନିଆଯାଇପାରେ । ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି ।

ସୂତ୍ର ଅନୁସାରେ ନୂଆ ଗାଇଡଲାଇନ୍‌ରେ ୨୩ଟି ଜିଲ୍ଲାକୁ କାଟାଗୋରୀ ‘ଏ’ ଓ ୭ଟି ଜିଲ୍ଲାକୁ କାଟାଗୋରୀ ‘ବି’ ରେ ରଖାଯାଇପାରେ । ଏଥିସହ କଟକଣା କୋହଳ ସମୟର ଅବଧିକୁ ବଢ଼ାଯିବାର ସମ୍ଭାବନା ଥିବା ଆଲୋଚନା ହେଉଛି ।

ସାମଗ୍ରିକ  ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ ‘ବି’ ରେ ଥିବା ଜିଲ୍ଲା ମଧ୍ୟରୁ କଟକ, ଖୋର୍ଦ୍ଧା ଓ ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି।  ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ । ତେଣୁ ଅନ୍‌ଲକ୍‌ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ ।

ରାଜ୍ୟ ସରକାର କୋଭିଡ ସ୍ଥିତି ନେଇ ପ୍ରତି ସପ୍ତାହରେ ସମୀକ୍ଷା କରୁଛନ୍ତି । ରାଜ୍ୟରେ ପଜିଟିଭିଟି ରେଟ କେତେ ରହୁଛି, ହସ୍ପିଟାଲ ଉପରେ କେସ୍‌ ଲୋଡ କେତେ ରହୁଛି, କେତେ ପ୍ରତିଶତ ବେଡ ପୂରଣ ହେଉଛି, ଟିକାକରଣ ଓ ଟେଷ୍ଟିଂ କିପରି ଚାଲିଛି ତାହାର ସମୀକ୍ଷା କରାଯାଉଛି।

ଅପରପକ୍ଷେ, କିଛି ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି । ତେଣୁ ଏସବୁକୁ ନଜରରେ ରଖି ଆଜି ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି ।