ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୪/୦୧) : ସମ୍ବଲପୁରୀ ଭାଷା ଓ ସଂସ୍କୃତି ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଆସନ୍ତା ୧୫ ତାରିଖରୁ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁରୀ ଧନୁଯାତ୍ରା ୨୦୨୫ ।
ଏନେଇ ଆୟୋଜକ ସମ୍ବଲପୁରୀ ଧନୁଯାତ୍ରା କମିଟି ପକ୍ଷରୁ ଗଣମାଧ୍ୟମକୁ ଚଳିତ ବର୍ଷର ଆୟୋଜନ ନେଇ ସୂଚନା ଦିଆଯାଇଛି। ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁଙ୍କ ସମେତ କମିଟିର ଅନ୍ୟ ପଦାଧିକାରୀ ଓ ସମ୍ବଲପୁରୀ ଧନୁଯାତ୍ରାର ନିର୍ଦ୍ଦେଶକ ତଥା କଳାକାର ମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ଚଳିତ ମାସ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରୀ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଗଙ୍ଗାଧର ମଣ୍ଡପକୁ ମଥୁରା ନଗରୀ ସହ କଂସ ଦରବାର କରାଯାଇଛି । ସେହିପରି ଚାଉଁରପୁରକୁ ଗୋପପୁର କରାଯାଇଛି ।
ତେବେ ଚଳିତ ବର୍ଷର ଆୟୋଜନର ବିଭିନ୍ନ ଦିବସରେ ସରକାରଙ୍କ ବହୁ ମନ୍ତ୍ରୀ ତଥା ଜନପ୍ରତିନିଧି ମାନେ ସମ୍ବଲପୁରୀ ଧନୁଯାତ୍ରାରେ ଅତିଥି ଭାବରେ ଯୋଗଦାନ କରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ସମ୍ବଲପୁରୀ ଧନୁଯାତ୍ରା ମାଧ୍ୟମରେ ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି କୁ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରାଯାଉଥିବା ନେଇ କମିଟି ପକ୍ଷରୁ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।