Thursday, October 21, 2021
Homeଜିଲ୍ଲା ଖବରରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,(୧୨/୧୦) : ରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସକାଳ ୯:୩୦ ସମୟରେ ସ୍ଥାନୀୟ କାଳୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ଶୋଭଯାତ୍ରା ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟତା ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ପି.ଡ଼ି ଡ଼ି.ଆର.ଡ଼ି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ନୂଆଁଖାଇ ଭେଟଘାଟ ସମ୍ପର୍କରେ ଏବଂ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ରଗୁନାଥ ଭୁଏ (ଓଡ଼ିଆ ଅଧ୍ୟାପକ ମହିଳା ମହାବିଦ୍ୟାଳୟ ଏବଂ ଶ୍ରୀମତି ପ୍ରତିମା ରାଣୀ ପଣ୍ଡା ଇତିହାସ ବିଭାଗ ଅଧ୍ୟାପିକା ମହିଳା ମହାବିଦ୍ୟାଳୟ ) ଯୋଗଦାନ କରି ନୂଆଁଖାଇ ର ମହତ୍ୱ ସମ୍ପର୍କରେ ବିସ୍ତୁତ ଭାବରେ ଉପସ୍ଥାପନା କରିଥିଲେ । ଏହା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବା ପରେ ଉକ୍ତ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ବ୍ୟତୀତ ସମସ୍ତ ୧୦ଟି ବ୍ଲକର ପ୍ରତିଯୋଗୀ କଳାକାର ଦଳ ଓ ୨ଟି ପୌର ପରିଷଦର କଳାକାର ଦଳ ଅଂଶ ଗ୍ରହଣ କରି ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ।

ସେମାନଙ୍କ ମଧ୍ୟରୁ ରାୟଗଡ଼ା ବ୍ଲକର ମାଁ ସନ୍ତୋଷୀ କଳା ପ୍ରତିଷ୍ଠାନର ନୃତ୍ୟ ଦଳ ୧ମ ସ୍ଥାନ ଅଧିକାର କରିଥିବା ବେଳେ ମାଁ ଗାୟତ୍ରୀ କଳା ସଂଗଠନ ୨ୟ ସ୍ଥାନ ଓ ଗୁଡାରି ବ୍ଲକର ଆଦିବାସୀ ନୃତ୍ୟ ଦଳ ୩ୟ ସ୍ଥାନ ହାସଲ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ଲଷ୍ମୀ ନାରାୟଣ ବେହେରା, ତ୍ରିଲୋଚନ ସାହୁ ଓ ଶିବ ଶଙ୍କର ମିଶ୍ର ଯୋଗଦାନ କରି ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରି ଫଳାଫଳ ନିର୍ଦ୍ଧାରଣ କରିଥିଲେ ।

କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର, ଶିକ୍ଷକ ପ୍ରଶାନ୍ତ ନାୟକ ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ଡମ୍ବରୁଧର ପଣ୍ଡା, ରାମଚନ୍ଦ୍ର ପାତ୍ର ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ସଂସ୍କୃତି ମହିଳା କ୍ଳବ ସଦସ୍ୟମାନେ ରଙ୍ଗଲି କରିବା ସହ ଅତିଥି ମାନଙ୍କୁ ଅଭ୍ୟର୍ଥନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଶେଷରେ ଉପସ୍ଥିତ ରହିଥିବା ସମସ୍ତ ଅତିଥି, ସାମ୍ବାଦିକ, କଳାକାର ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments